- କଂଟାବାଂଜି ଏବଂ ତୁରେକେଲାର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରୀଛାତ୍ର କ୍ରିଡାରେ ସାମିଲ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅନେକ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଦ୍ୱିତୀୟ ଦିନରେ ଛାତ୍ରୀମାନେ ଡିସକସ ଥ୍ରୋ ଏବଂ ଜେଭଲିନ ଥ୍ରୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ଏନ୍ଏସି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପି.ଇ.ଟି. ଜ୍ୟୋତିରାଣି ମହାନ୍ତିଙ୍କ ତତ୍ୱାବଧାନରେ ସମସ୍ତ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ତୁରେକେଲାସ୍ଥିତ ରାଜୀବ ଗାନ୍ଧୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମଧ୍ୟ ଏହି କ୍ରିଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବିଦ୍ୟାଳୟର ପି.ଇ.ଟି ପ୍ରବିର କୁମାର ସାହୁ, ତୁରେକେଲା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ପି.ଇ.ଟି କ୍ଷୀରଚନ ନାଏକ, କୁଇବାହାଲ ହାଇସ୍କୁଲର ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ଓ ଜାମୁଟଝୁଲା ହାଇସ୍କୁଲର ଖେଳ ଶିକ୍ଷକ ଶୁଭେନ୍ଦ୍ର ମହାନ୍ତିଙ୍କ ତତ୍ୱାବଧାନରେ ଛାତ୍ରୀଛାତ୍ରୀମାନେ ବିଶାଳ ମଶାଲ ଶୋଭାଯାତ୍ରା ତୁରେକେଲା ସ୍ଥିତ ମା’ ବାଣି ଭଗାରେନ ମଂଦିରରୁ ବାହାରି ବିଦ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନି କୁମାର ମେହେରଙ୍କ ଦ୍ୱାରା ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି (ମୁଖ୍ୟ ଅତିଥି), ତୁରେକେଲା ବ୍ଲକ ସରପଂଚ ସଂଘ ସଭାପତି ତଥା ତୁରେକେଲା ସଦର ପଂଚାୟତ ସରପଂଚ ଜଲନ୍ଧର ମହାକୁଡ (ସମ୍ମାନିତ ଅତିଥି) ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।