ବଲାଙ୍ଗିରରେ ଲକ୍ଷ୍ମୀ ବସ ଯୋଜନା ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସଦରମହକୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟ ପଡିଆଠାରେ ଲକ୍ଷ୍ମୀ ବସ ସେବା ଯୋଜନା ଲୋକାର୍ପିତ ହୋଇଯାଇଛି । ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଲକ୍ଷ୍ମୀ ବସ ଯୋଜନା ଲୋକାର୍ପିତ କରିଛନ୍ତି । ଆଜି ଆଉ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଲକ୍ଷ୍ମୀ ଯୋଜନାରେ ସାମିଲ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକକୁ ୩ଟି ଲେଖାଏଁ ବସ ଗଡିବ । ବଲାଙ୍ଗିରରେ ଏହି ଯୋଜନା ଲୋକାର୍ପିତ ହେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳରେ ଗମନାଗମନ ଏକ ସମସ୍ୟା ହେଇଥିବାରୁ ଏହି ଯୋଜନା ଦ୍ଵାରା ଜନସାଧାରଣ ମୁଖ୍ୟତଃ ମହିଳା, ଛାତ୍ରଛାତ୍ରୀ ଓ କୃଷକମାନେ ପଞ୍ଚାୟତରୁ ବ୍ଲକ ଏବଂ ବ୍ଲକରୁ ଜିଲ୍ଲା ସଦରମହକୁମାକୁ ସୁବିଧାରେ ଓ କମ ଖର୍ଚ୍ଚରେ ଯାଇପାରିବେ ବୋଲି ସେ କହିଥିଲେ । ସେହିପରି ଏହି ଯୋଜନା ଲୋକଙ୍କୁ ଲୋକଙ୍କ ସହ ଯୋଡିବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବ । ପିଲାଙ୍କୁ ବିଦ୍ୟାଳୟ, ରୋଗୀଙ୍କୁ ହସ୍ପିଟାଲ ଓ ଚାଷୀଙ୍କୁ ବଜାର ଯିବାରେ ଲକ୍ଷ୍ମୀ ବସ ସୁବିଧା ଯୋଗାଇବ । ସେମାନେ କେବଳ ୫ ଟଙ୍କାର ଟିକେଟ ମୂଲ୍ୟରେ ଗମନାଗମନ କରିପାରିବେ । ଏହି ଉତ୍ସବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା କହିଥିଲେ ଯେ ଗ୍ରାମାଞ୍ଚଳରେ ସହରର ସୁବିଧା ଯୋଗାଇବା ଲକ୍ଷରେ ଏହି ଯୋଜନା ଐତିହାସିକ ପଦକ୍ଷେପ । ଏଭଳି ଯୋଜନା ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେର ଏହି ଯୋଜନାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଲୋକାର୍ପିତ ହେଉଥିବା ଲକ୍ଷ୍ମୀ ବସ ସେବା ଜିଲ୍ଲାଗୁଡିକରେ ବିକାଶ ରଥ ମଧ୍ୟ ଗଡିବା ସହ ପରିବହନ ବ୍ୟବସ୍ଥା ଜଣସାଧାରଣଙ୍କ ନିକଟତର ହେବ । ଲୋକଙ୍କ ତରଫରୁ ସେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ ଉତ୍ସବରେ ହାଉସିଙ୍ଗ ବୋର୍ଡ ଅଧକ୍ଷ କଳିକେଶ ନାରାୟଣ ସିଂହ ଦେଓ , ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ପୌରଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 + thirteen =