- ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ : ମହାମହିମ ରାଜ୍ୟପାଳ
- ପିଜି ପାଠ୍ୟକ୍ରମ ଓ ସୁପର ସ୍ପେସିଆଲିଟି ଡାକ୍ତର ଦାବୀ ଦୋହରାଇଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସନ୍ଥ ଭୀମ ଭୋଇଙ୍କ ଉକ୍ତି ଜାତି ଖୋଜିଲେ ମୁକ୍ତି ନାହିଁ ଆଉ ମୁକ୍ତି ଖୋଜିଲେ ଜାତି ନାହିଁକୁ ମନେ ପକାଇବା ସହ ଭାବି ଡାକ୍ତରମାନେ ଜାତି, ଧର୍ମ, ବର୍ଣ୍ଣ, ଅର୍ଥ ନିର୍ବିଶେଷରେ ରୋଗୀସେବାରେ ବ୍ରତି ହେଲେ ମାନବ ସମାଜର ମଙ୍ଗଳ ହୋଇ ପାରିବ ବୋଲି କହିଛନ୍ତି । ସେହିପରି ବଲାଙ୍ଗିର ବିଧାୟକ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୀମ ଭୋଇ ମେଡିକାଲରେ ପିଜି ପାଠ୍ୟକ୍ରମ ଓ ଡାକ୍ତରଖାନାରେ ସୁପର ସ୍ପେସିଆଲିଟି ଡାକ୍ତର ଦାବୀକୁ ପନର୍ବାର ଦୋହରାଇଛନ୍ତି । ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଲାଙ୍ଗିର ଗସ୍ତ କରିଛନ୍ତି । ସକାଳୁ ପ୍ରାୟ ୧୦ଟା ୩୦ରେ ସେ ବଲାଙ୍ଗିର ହେଲିପ୍ୟାଡକୁ ପହଞ୍ଚିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଂଚଲ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ତାଙ୍କୁ ପାଛୋଟି ଆଣିଥିଲେ । ସର୍କିଟ ହାଉସରେ କିଛି ସମୟ ବିତାଇବା ପରେ ସାଢେ ଏଗାର ଟାରେ ଗଣେଶୀଲାଲ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଛାତ୍ର ସଂଘ ଦ୍ୱାରା ଆୟୋଜିତ ବାର୍ଷିକୋତ୍ସବକୁ ବାହାରିଥିଲେ । କଲେଜ କର୍ତ୍ତୃପକ୍ଷ ଓ ଛାତ୍ର ସଂଘ ସମସ୍ତ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ରାଷ୍ଟ୍ରଗାନ, ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଭୀମ ଭୋଇ କଲେଜର ଡିନ ଡା. ସବିତା ବିବରଣୀ ପାଠ କରିଥିଲେ । ଛାତ୍ର ସଂଘ ସଭାପତି ବିଶାଳ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ । ସମସ୍ତ ଅତିଥି ଭୀମ ଭୋଇ ମେଡିକାଲର ମୁଖପତ୍ର ଜେନେସିସ୍ର ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ତଥା ଓୟୁଏଚ୍ଏସ୍ର ଉପ କୁଳପତି ଦତ୍ତେଶ୍ୱର ହୋତା ଛାତ୍ରମାନଙ୍କୁ ସମୁହ ପାଇଁ କାମ କରିବାକୁ ଉପଦେଶ ଦେଇଥିଲେ । ଜିଲ୍ଲାପାଳ ଚଂଚଲ ରାଣା ସମସ୍ତ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଭାର ମୁଖ୍ୟ ଅତିଥି ରାଜ୍ୟପାଳ ଗଣେଶୀଲାଲ ଓଡିଶା ମାଟିର ଗୌରବ ବଖାଣିବା ସହ ଛାତ୍ରଛାତ୍ରୀଙ୍କୁ ଏ ମାଟିର ମହତ୍ୱ ଉପରେ କହିଥିଲେ । ନବ ଯୁବକ ନୂତନ କୌଶଳ ସହିତ ଇଶ୍ୱରୀୟ ପ୍ରବୃତ୍ତି ସହିତ କାମ କଲେ ସମାଜର ସମସ୍ତ ବ୍ୟାଧିକୁ ଦୂର କରାଯାଇପାରିବ ବୋଲି କହିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜ ସ୍ଥାପନ ପାଇଁ ୨୦ ବର୍ଷର ସଂଘର୍ଷକୁ ମନେ ପକାଇବା ସହ, ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ଓ ମେଡିକାଲରେ ସୁପର ସ୍ପେସିଆଲିଟି ପଦ ପୁରଣ କରିବା ପାଇଁ ଦାବୀ ଉତ୍ଥାପନ କରିଥିଲେ । ପ୍ରକାଶ ଯେ, ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ ନହେବା ଯାଏଁ ଉକ୍ତ ଡାକ୍ତରଖାନାରେ ସୁପର ସ୍ପେସିଆଲିଟି ପଦ ଦିଆଯାଇ ପାରିବନାହିଁ ବୋଲି ସରକାରୀ ନିୟମ ରହିଛି । ବାରମ୍ବାର ଦାବୀ ସତ୍ୱେ ରାଜ୍ୟ ସରକାର ଏହି ଆଳ ଦେଖାଇ ବଲାଙ୍ଗିରରେ ସୁପର ସ୍ପେସିଆଲିଟି ପଦ ପୁରଣ କରୁନଥିଲେ । ଏବେ ଭୀମ ଭୋଇ ମେଡିକାଲ ନିଜର ୫ ବର୍ଷ ପୂତ୍ତି କରିବା ସହ ଏଠାରେ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ଏଠାରେ ପିଜି ପାଠ୍ୟକ୍ରମ ଆରମ୍ଭ ହେଲେ ମେଡିକାଲରେ ସୁପର ସ୍ପେସିଆଲିଟି ପଦ ପୁରଣ ହୋଇ ପାରିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଛାତ୍ର ସଂଘ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ଓ ସଂପାଦକ ଅଭିଷେକ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ରାଜ୍ୟପାଳ ବଲାଙ୍ଗିର ସ୍ଥିତ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଅଭିମୁଖେ ବାହାରି ଥିଲେ ।