pakka

ପିଆଇବି ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଯୋଗ ଶିବିର ଆୟୋଜିତ

bbehera

ଭୁବନେଶ୍ୱର, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ବରୂପ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ମିଳିତ ଭାବେ ଯୋଗ ଶିବିର ଆୟୋଜନ କରାଯାଇଥିଲା । ଭୁବନେଶ୍ବରସ୍ଥିତ ଗୁରୁ କେଳୁଚରଣ ପାର୍କ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ । ଅବସରପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ପତ୍ର ସୂଚନା କାର୍ୟ୍ୟାଳୟର ଉପନିର୍ଦ୍ଦେଶକ ଓ ସିବିଏଫସି କଟକର ମୁଖ୍ୟ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ । ଏହି ଅବସରରେ ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତା ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହେବ । ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ କରାଯାଉଥିବାରୁ ଯୋଗ ଦିବସ ପାଇଁ ୭୫ ଦିନ ପୂର୍ବରୁ ଅବଗଣନା ଆରମ୍ଭ ହୋଇଛି । ଏଥିପାଇଁ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ ଶିବିର ସମେତ ଯୋଗର ପ୍ରଚାରପ୍ରସାର ପାଇଁ କାର୍ୟ୍ୟକ୍ରମମାନ ଆୟୋଜନ କରାଯାଉଛି ।

Leave A Reply

Your email address will not be published.

twenty − 4 =