ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କିଛି ଜିଲାସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ସିଧାସିଧା ମନା କରିଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା । ଠିକ୍ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି । ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଶୁଣାଣିରେ ପହଞ୍ଚି ନଥିଲେ । ବିଳମ୍ବରେ ଆସୁଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବିଳମ୍ବରେ ଆସିଥିବା ଅଧିକାରୀମାନେ ହେଲେ ଅବକାରୀ ବିଭାଗ ଅଧ୍ୟକ୍ଷ ସନ୍ତୋଷ କୁମାର ଧଳସାମନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ ଓ ରାୟଗଡ଼ା ବିଡ଼ିଓ ସୁଜିତ୍ ମିଶ୍ରଙ୍କ ସମେତ ପ୍ରାୟ ୧୨ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲାପାଳ କୁଳକର୍ଣ୍ଣି । ଏପରିକି ରାୟଗଡା ଉପଜିଲ୍ଲାପାଳ ରମେଶ ଜେନାଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା । ଅପ୍ରୀତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ୍ ସେଲରେ ବସି ରହିଥିଲେ । ଅଭିଯୋଗ ଶୁଣାଣି ଘାଏରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅଧିକାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବହୁ ଅଭିଯୋଗକାରୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏନେଇ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କୁ ପଚାରିବାରୁ ମାଇ ଆକ୍ସନ ଇଜ୍ ଭେରି କ୍ଲିୟର ବୋଲି କହି ସେ ଚାଲିଯାଇଥିଲେ ।
Prev Post