pr

ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ

dr. purohit

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଆଜି ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ବିକାଶରେ ସେମାନେ ବାସ୍ତବରେ “ପ୍ରଗତିର ସାରଥି, ଆମ ଯୁବଶକ୍ତି” ବୋଲି ଅଭିହିତ କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା କହିଥିଲେ ଯେ, ବିଶ୍ୱ ଇତିହାସରୁ ଏହା ସୁସ୍ପଷ୍ଟ, ଯେତେବେଳେ ବି କିଛି ପରିବର୍ତ୍ତନ ହୋଇଛି ବା କ୍ରାନ୍ତି ଆସିଛି ସେଇ ପରିବର୍ତ୍ତନର ସ୍ୱର ଯୁବ ଶକ୍ତି ଦ୍ୱାରା ହିଁ ଉତ୍ଥାପନ ହୋଇଛି । ତେଣୁ ଯୁବ ଶକ୍ତି ହିଁ ପରିବର୍ତ୍ତନ ଓ ପ୍ରଗତିର ମୁଖ୍ୟ ଉତ୍ସ ବୋଲି ସେ କହିଥିଲେ । ସେହିପରି ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ଦେଶର ପ୍ରଗତି ପାଇଁ ଯୁବ ଶକ୍ତିର ଆବଶ୍ୟକତା ଓ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ବର୍ତମାନର ଯୁବ ପିଢ଼ିଙ୍କୁ ପରାମର୍ଶ ଦେଇ କହିଥିଲେ, କୌଣସି କ୍ଷେତ୍ରରେ ଅସଫଳ ହେଲେ ହତାଶ ନହୋଇ ନିଜ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରି ଦୃଢ଼ ମନବଳ ସହିତ ଉନ୍ନତି ଦିଗରେ ନିଜର ଶକ୍ତିକୁ ସଠିକ ଉପଯୋଗ କରିବା ଉଚିତ । ଯେ କୌଣସି ପରିସ୍ଥିତିରେ ସମସ୍ୟାକୁ ସାମ୍ନା କରିବା ପାଇଁ ନିଜ ଭିତରେ ଶକ୍ତି ସଂଚୟ କରିବା ନିମନ୍ତେ ଆହ୍ୱାନ ଜଣାଇ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଲୋକନୃତ୍ୟ (ଗୋଷ୍ଠୀ), ଲୋକଗୀତ (ଗୋଷ୍ଠୀ), କାହାଣୀଲେଖା, ଚିତ୍ରକଳା, କବିତା ଲେଖା, ବକ୍ତୃତା ସହ ଅଭିନବ ପଥ (ବିଜ୍ଞାନ ମେଳାର ପ୍ରଦର୍ଶନୀ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଉକ୍ତ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମକୁ ଶିକ୍ଷକ ସୋମନାଥ ସିଂ ସଂଚାଳନ କରିଥିଲେ ।

nrusinghnath
Leave A Reply

Your email address will not be published.