ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ତମ ଜାତୀୟ ମତଦାତା ଦିବସ

  • ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ କଶୋଲ କଳା ମଣ୍ଡଲ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିବା ବେଳେ ବହୁ ସଂଖ୍ୟକ ଏନ୍‌.ସି.ସି, ରେଡକ୍ରସ, ସିଭିଲିଆନ ଦଳର ଛାତ୍ରଛାତ୍ରୀ ଏବଂ ଜନସାଧାରଣଏହି ରାଲିରେ ଯୋଗଦେଇଥିଲେ । ଉକ୍ତ ରାଲି ମହିଳା ମହାବିଦ୍ୟାଳୟ ଠାରେ ସମାପ୍ତ ହୋଇଥିଲା । ଏଠାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ନିଜର ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ମତଦାନ କରିବାକୁ ଶପଥ ନେଇଥିଲେ । ଉକ୍ତ ଦିବସ ଉପଲକ୍ଷେ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ସେଠୀ କହିଥିଲେ ଯେ, ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଆଜିର ଏହି ଦିବସ ପାଳନ କରାଯାଉଛି । ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ତତ୍ସହିତ ନୂତନ ଯୁବ ଭୋଟରଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ସହ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସ୍ତରୀୟ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ପ୍ରସ୍ତୁତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.