ଗାୟିକା ଅସୀମା ପଣ୍ଡାଙ୍କ ଷ୍ଟାର୍‌ ନାଇଟ୍‌ରେ ଝୁମିଲେ ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଆସୀମା ପଣ୍ଡାଙ୍କ ଷ୍ଟାର ନାଇଟ୍‌ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗାୟିକା ଅସୀମା ପଣ୍ଡାଙ୍କ ଶୋରେ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ହଜାର ହଜାର ଯୁବକଙ୍କ ନାଚରେ ହାଇସ୍କୁଲ ଖେଳପଡିଆ ଉଠିଛି ପଡିଛି । ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ମୃତିରେ ସ୍ମୃତି କମିଟି ପକ୍ଷରୁ ଗତ ୬ ଦିନ ଧରି ବଲାଙ୍ଗିର ପାଟଣା କପ୍‌ କ୍ରିକେଟ ଆୟୋଜିତ ହୋଇଥିଲା । ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ ପରେ ଖେଳପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଷ୍ଟାର୍‌ ନାଇଟ୍‌ କରାଯାଇଥିଲା । ବଲାଙ୍ଗିର ପାଟଣା କପ୍‌ ପାଇଁ ବଲାଙ୍ଗିରର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆ, ଭୁତିଆରବାହାଲ ଖେଳପଡିଆ, ହର୍ଡାଟାଲ ଖେଳପଡିଆ ଓ ଜରାସିଂହା ଖେଳପଡିଆଠାରେ ଗତ ୬ ଦିନ ଦିନ ଧରି କ୍ରିକେଟମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗତକାଲିର ଶେଷ ଫାଇନାଲ ମ୍ୟାଚ ଦେଓଗାଁ ଓ ବ୍ରାହ୍ମଣୀଯୋର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଓଗାଁ କ୍ରିକେଟ ଟିମ୍‌ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ, ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ପ୍ରମୁଖ ଯୋଗଦେଇଥିଲେ । ଚମ୍ପିୟାନ ଦଳକୁ ୨୫,୦୦୦ ଟଙ୍କା ଓ ସିଲ୍‌କପ୍‌ ଦିଆଯାଇଥିଲା । ସେହିପରି ରନର୍ସ ଅଫ୍‌ ବ୍ରାହ୍ମଣୀଯୋର ଦଳକୁ ୧୫୦୦୦ ଅର୍ଥରାଶି ସହ ସଲ୍‌କପ୍‌ ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗାୟିକା ଅସୀମା ପଣ୍ଡା, ଯୁବଗାୟକ ପ୍ରୀୟଦର୍ଶନ ବାଗ ପ୍ରମୁଖ ଲୋକଙ୍କ ମନୋରଂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣା କପ୍‌ ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ହୋତା, ନାଗରିକ କମିଟିର ସଭାପତି ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ଘରୋଇ ବସ ମାଲିକ ସଂଘର ସଭାପତି ଦୁର୍ଗାପ୍ରସାଦ ବେହେରା, ବିଜେଡିର ରାଜ୍ୟ ସଂପାଦକ ପ୍ରଦ୍ୟୁତ ମିଶ୍ର, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ, ବିଜୁ ମହିଳା ଜନତା ଦଳର ସଭାପତି ଦମୟନ୍ତି ବାଗ, ପୂର୍ବତନ ପୌର ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦ, ଆଇଟି ସେଲର ବିଭୁତି ଭୂଷଣ ମିଶ୍ର, ବୁଲୁ ବେହେରା, ଲେଙ୍କା ସାହୁ, ସୁବଳ ମହାକୁର, କ୍ରୀଡା ସଂଗଠକ ସୁମିତ ପୁରୋହିତ ପ୍ରମୁଖଙ୍କ ସହ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଶ୍ରୀପ୍ରଦା ଷଢଙ୍ଗୀ ପରିଚାଳନା କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ କଳିକେଶଙ୍କ ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମରେ ଯୁବକମାନେ ଖୁବ ଉତ୍ସାହିତ ଥିବା ଦେଖାଯାଇଥିଲା ।

Leave A Reply

Your email address will not be published.

thirteen + four =