
- ମଧୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନର ପ୍ରତୀକ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ପ୍ରଦେଶର ଗଠନ ଏବଂ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା କ୍ଷେତ୍ରରେ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ଅବଦାନ ଅତୁଳନୀୟ । ସେ କେବଳ ଜଣେ ବ୍ୟକ୍ତି ନଥିଲେ, ବରଂ ଏକ ସମୃଦ୍ଧ ଓଡ଼ିଶା ଗଠନର ଅନନ୍ୟ ସ୍ୱପ୍ନଦ୍ରଷ୍ଟା ଥିଲେ । ତାଙ୍କର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇ ପାରିଥିଲା । ଏହି ମହାନ୍ ଜନନାୟକଙ୍କ ୧୭୯ତମ ଜୟନ୍ତୀ ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ‘ପ୍ରଗତି ଉତ୍କଳ ସଂଘ’ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସକାଳ ୮.୦୦ଘଟିକାରେ ମଧୁସୂଦନ ମାର୍ଗରେ ୧୯୭୬ ମସିହାରେ ସଂଘ ଦ୍ଵାରା ସ୍ଥାପିତ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ସମ୍ପାଦକ ଘନଶ୍ୟାମ ଧଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ପଟ୍ଟନାୟକ, ଆଲୋକ ରଞ୍ଜନ ବୋଷ, ରବୀନ୍ଦ୍ର କୁମାର ପଣ୍ଡା, ନାରାୟଣ ଚନ୍ଦ୍ର ମହନ୍ତ, ଧରଣୀଧର ସାମଲ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଧ୍ୟାରେ ସିଭିକ୍ ସେଣ୍ଟର ଠାରେ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଂଘର ପୂର୍ବତନ ସଭାପତି ତଥା ଉପଦେଷ୍ଟା ଶାନ୍ତନୁ କୁମାର ପରିଚ୍ଛା ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ. ସୋମା ଚାନ୍ଦ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ଦେବା ସହ କହିଲେ ଯେ, ମଧୁବାବୁ ଏକ ବ୍ୟକ୍ତି ନଥିଲେ । ସେ ଏକ ଚିନ୍ତନ, ଏକ ଆଦର୍ଶ । ମଧୁବାବୁଙ୍କ ସମଗ୍ର ଜୀବନ କାଳକୁ ଆଠଟି ଭାଗରେ ବିଭକ୍ତ କରି ତାଙ୍କର ସମ୍ପୂର୍ଣ୍ଣ କର୍ମକାଣ୍ଡ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କୁ ସତ୍ୟନାରାୟଣ ମହାନ୍ତି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୋଏଲ ନଗର ସରକାରୀ ୟୁପି ସ୍କୁଲର ଅନିତା ରବିଦାସଙ୍କୁ ଗୋପବନ୍ଧୁ ସ୍ମୃତି ପୁରସ୍କାର ଓ ହମିରପୁର ଗୋପବନ୍ଧୁ ୟୁପିଏସ ସ୍କୁଲର ଛାତ୍ରୀ ମେହେକ ଧୀବରଙ୍କୁ ମଧୁସୂଦନ ସ୍ମୃତି ପୁରସ୍କାର ସହ ଉଭୟଙ୍କୁ ନଗଦ ଏକ ହଜାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ୪୫ ଜଣ ଛାତ୍ରଛାତ୍ରୀଙ୍କୁ ଫଳକ ଏବଂ ପ୍ରମାଣ ପତ୍ର ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ସଂଘର ମୁଖପତ୍ର – ଉତ୍କଳ ଗୌରବ- ପଣ୍ଡିତ ନୀଳକଣ୍ଠ ଦାସ ବିଶେଷାଙ୍କ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ଜଗନ୍ନାଥ ଓ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ମ୍ୟୂଜିକ ସର୍କଲର କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନ୍ୟତମ ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡ. ନଗେନ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, ରଶ୍ମି ସାହୁ, ଲକ୍ଷ୍ମଣ ନାଥ ଦାସ, ଶୁଭ୍ରାଂଶୁ ଶେଖର ମହାପାତ୍ର, ଗୀତାରାଣୀ ବେହେରା, ବିନତା ମହାନ୍ତ, ଅର୍ଚ୍ଚନା ପାତ୍ର, ସୁମିତା ପଟ୍ଟନାୟକ, ଚାରୁଲତା ମଲ୍ଲିକ, ବରୁଣ ନାହାକ, ପ୍ରସନ୍ନ କୁମାର ମହାନ୍ତି ଏବଂ ପରୀକ୍ଷିତ ଗୁରୁ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ସୁଦେଷ୍ଣା ରାଉତଙ୍କ ନିର୍ଦ୍ଦେଶନାରେ ମ୍ୟୁଜିକ ସର୍କଲର ନୃତ୍ୟଶିଳ୍ପୀ ମାନେ ‘ନାଗେନ୍ଦ୍ର ହରାୟ ତ୍ରିଲୋଚନାୟ’ ଏବଂ’ ଅର୍ଦ୍ଧ ନାରୀଶ୍ୱର’ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ସଦସ୍ୟାଙ୍କ ସହ ସହରର ବହୁ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।