ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କଵି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କବିବରଙ୍କ ଜୀବନୀ ଓ ତାଙ୍କର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଲେ ଯେ ଓଡ଼ିଆ ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା କବିବର ରାଧାନାଥଙ୍କ ସୃଷ୍ଟି ଚିଲିକା, ନନ୍ଦିକେଶ୍ଵରୀ, ଚନ୍ଦ୍ରଭାଗା ଭଳି ସୃଜନ ସୃଜିରେ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ । ଓଡ଼ିଆ ଭାଷା ସାହିତ୍ୟର ଗରିମା ବୃଦ୍ଧି ସହ ନିଜର ଅନନ୍ୟ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, କବିବରଙ୍କ ସୌନ୍ଦର୍ଯ୍ୟପଣ, ହୃଦପ୍ରାଣ ଚିନ୍ତା ଓ ଚେତନା ଓଡ଼ିଆ କାବ୍ୟ ପରମ୍ପରାକୁ ନୂତନ ଦିଗଦର୍ଶନ ଦେଇଥିଲା । ନଅଙ୍କ ଦୁର୍ଭିକ୍ଷ ପରେ ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ସାହିତ୍ୟର ଅନୁପ୍ରେରଣାରେ ଯେଉଁ ନବଯୁଗର ଆବିର୍ଭାବ ଘଟିଥିଲା, ରାଧାନାଥ ଥିଲେ ସେହି ନବଯୁଗର ଆଦ୍ୟ ସ୍ରଷ୍ଟା । ଓଡ଼ିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାରେ ଶ୍ରେୟ କବିବରଙ୍କୁ ଯାଇଥାଏ । ସଭାପତିତ୍ୱ ଅଭିଭାଷଣରେ ସୁଶ୍ରୀ ମୁଦାଲୀ ରାଧାନାଥଙ୍କୁ ଆଧୁନିକ ଓଡ଼ିଆ କାବ୍ୟ ଧାରାର ଜନକ ଭାବେ ଅବହିତ କରି କହିଲେ ଯେ ଉଭୟ ପ୍ରେମ ଓ ପ୍ରକୃତି ଚିତ୍ରଣ ହେଉଛି ତାଙ୍କ କାବ୍ୟର ବିଶେଷତ୍ଵ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଛାତ୍ରୀ ସୁଶ୍ରୀ ଶିଖା ଭୁନିଆ, ସୁଶ୍ରୀ ରେଖା ରାଣୀ ଗିରି କବିବରଙ୍କ ଜୀବନୀ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସ୍ଵାଇଁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post