
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ୨୬ ତମ ଶୀତଳଷଷ୍ଠୀ ଯାତ୍ରା ଆବାହକ ଶୁଭ୍ରାଂଶୁ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୭.୦୬.୨୦୨୬ ତାରିଖରେ ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବ ପାର୍ବତୀଙ୍କୁ ନିଜର ବାସଭବନକୁ ପାଛୋଟି ଆଣିଥିଲେ । ଚଳିତ ବର୍ଷ କନ୍ୟା ପିତାମାତା ଭାବେ ହାଟପଦା ପଡ଼ାର ସୀତାରାମ ବେହେରା ଓ ପତ୍ନୀ ଶ୍ରୀମତୀ ରେଣୁକା ବେହେରା ହୋଇଥିବା ବେଳେ ବର ପିତାମାତା ଭାବେ ଶିରଭଟା ପଡ଼ାର ମହେନ୍ଦ୍ର କୁମାର ରାଉତ ଓ ପତ୍ନୀ ଶ୍ରୀମତୀ ମେନକା ରାଉତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୧୮ ତାରିଖ ଗୁରୁବାର ଦିନ ସନ୍ଧ୍ୟାରେ ଗନସଣ ଓ ଅଳଙ୍କାର ଧାରଣ ସରିବା ପରେ ୭.୩୦ରେ ଶିରଭଟା ପଡ଼ାରୁ ବରାନୁଗମନ ହୋଇଥିଲା । ପଡ଼ାର ଆବାଳ ବୃଦ୍ଧ ବନିତା ସମସ୍ତେ ପ୍ରଭୁ ଶିବଙ୍କୁ ଧରି ବିଭିନ୍ନ ବାଜା ତଥା ଡିଜେର ତାଳେ ତାଳେ ସମସ୍ତେ ନାଚି ନାଚି ହାଟପଦା ପଡ଼ାର ଭାଗବତ ମନ୍ଦିର ଠାରେ ପହଞ୍ଚିଥିଲେ ଏବଂ ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ହାଟପଦା ପଡ଼ାର ବିବାହ ମଣ୍ଡପ ଭାଗବତ ମନ୍ଦିର ଠାରୁ ଉଭୟ ବର କନ୍ୟା ପକ୍ଷ ଓ ଶ୍ରଦ୍ଧାଳୁମାନେ ମିଶି ଶିବ ପାର୍ବତୀଙ୍କ ସହ ପ୍ରତ୍ୟାବର୍ତ୍ତନ କରି ମନ୍ଦିରକୁ ପ୍ରବେଶ କରିଥିଲେ । ଏହି ଅବସରରେ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆୟୋଜକ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଘଡେଇ, କମିଟିର ଲିଙ୍ଗରାଜ ସାହୁ, ପ୍ରଭାକର ସରାଫ, ପ୍ରଦୀପ ସାହୁ, ପ୍ରମୋଦ ସରାଫ, ଧଳା କାହ୍ନୁ ବୁଡେକ୍, ଗୋବିନ୍ଦ ସାହୁ, ସୂରଜ ବେହେରା, ରାଜା ବଗର୍ତ୍ତୀ, ସିବୁନ ବାଗ, ବିଷ୍ଣୁ ଦୀପ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।