
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ୍ସିଟ୍ରିମ୍ ପ୍ରୋ- ଇଣ୍ଡିଆ-୨୦୨୬ରେ ପୁରସ୍କୃତ ହୋଇ ବେଙ୍ଗଲୁରରୁ ଫେରି ଆସିଥିବା ଶିବ କୁମାର ନାୟକଙ୍କୁ ଶୁକ୍ରବାର ଅପରାହ୍ନରେ ଛତ୍ରପୁର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କରପଡା ଗ୍ରାମବାସୀ ତଥା ମା’ ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟି, ପୂଜା କମିଟି ପକ୍ଷରୁ ଛତ୍ରପୁର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ’ ବେଙ୍ଗଲୁର କେପିଟ୍ ମହଲରେ ଆୟୋଜିତ ଜାତୀୟସ୍ତରୀୟ ବଡି-ବିଲ୍ଡିଙ୍ଗ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ସୁନାପୁଅ ଶିବ କୁମାର ନାୟକ (୩୦) ଙ୍କ ବିଜେତା ଖବର ଛତ୍ରପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ତିନି ଦିନିଆ ଏକ୍ସିଟ୍ରିମ୍ ପ୍ରୋ- ଇଣ୍ଡିଆ-୨୦୨୬ରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବଡି-ବିଲ୍ଡିଙ୍ଗ ପ୍ରତିଯୋଗିତାରେ କେବଳ ଗଞ୍ଜାମ ପୁଅ ଶିବ କୁମାର ନାୟକଙ୍କ ୫ମ ସ୍ଥାନରେ ପୁରସ୍କାରରେ ବିଜେତା ହାସଲ କରି ବାସ୍ତବିକ୍ ଗଞ୍ଜାମ ଜିଲ୍ଲାର ଏକ ନିଆରା ଗୌରବ ଅର୍ଜନ କରିଛନ୍ତି । ଶିବ କୁମାର ନାୟକଙ୍କ ପିତା ନବ ନାୟକ ଜଣେ କୃଷିଜୀବୀ ଅଟନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡା ଗ୍ରାମପଞ୍ଚାୟତର ଆଲିଆବାଦ ଗ୍ରାମ ବୋଲି ଜଣାଯାଇଛି । ଶିବ କୁମାରଙ୍କ ୪ ଭାଇ, ଜଣେ ଅକ୍ଷମ ଭଉଣୀ ଅଛନ୍ତି । ସମସ୍ତେ ଚାଷୀ ପରିବାରର ଲୋକ, ଚାଷ ବାସ କରି ଘର ଚଳନ୍ତି । ଶିବ କୁମାର ନାୟକ ଭବିଷ୍ୟତରେ ଜଣେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାର ଆଶା ରଖିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତଥା ରାଜ୍ୟ ସରକାରଙ୍କ ତରଫରୁ ଏହି ଗରିବ ପରିବାରଙ୍କ ପ୍ରତି ଆର୍ଥିକ ପ୍ରୋତ୍ସାହନ ଯୋଗାଇଲେ ଏହି ପରିବାରରେ ପୁତ୍ର ସନ୍ତାନମାନେ ଆମ ଦେଶର ଟେକ ରଖିବା ଲାଗି ଅନେକ ମାତ୍ରାରେ ସହାୟକ ହୋଇଥାଆନ୍ତେ । ତେଣୁ ତାଙ୍କ ଭଳି ପରିବାରଙ୍କ ପ୍ରତି ସରକାରଙ୍କ ପ୍ରୋତ୍ସାହନ ମିଳିବା ଉଚିତ୍ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।