jayashree

ଜଟିଳ ରକ୍ତକର୍କଟ ରୋଗୀଙ୍କ ପାଇଁ ଜରୁରୀକାଳୀନ ପ୍ଲେଟଲେଟ ଦାନ କଲେ ଡଃ. ନିରୋଜ କୁମାର ପୋଥାଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାନବିକତା ଓ ସେବା ମନୋଭାବର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜର ନିୟମିତ ରକ୍ତଦାତା ଡଃ. ନିରୋଜ କୁମାର ପୋଥାଳ । ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜଟିଳ ରକ୍ତକର୍କଟ ରୋଗରେ ଚିକିତ୍ସାଧୀନ ୨୩ ବର୍ଷୀୟ ଯୁବକ ହିତେଶ କୁମାର ନାଥଙ୍କ ପାଇଁ ଜରୁରୀକାଳୀନ ଭାବେ AB+ve ପ୍ଲେଟଲେଟର ଆବଶ୍ୟକତା ଥିବା ଖବର ପାଇ ଡଃ. ନିରୋଜ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ହିତେଶ ଦୀର୍ଘଦିନ ଧରି ରକ୍ତକର୍କଟ ରୋଗରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଚିକିତ୍ସା ସମୟରେ ବାରମ୍ବାର ରକ୍ତ ଓ ପ୍ଲେଟଲେଟର ଆବଶ୍ୟକତା ପଡ଼ୁଛି । ପରିବାରର ଏକମାତ୍ର ପୁଅ ହିତେଶ କରୋନା ସମୟରେ ମାଆଙ୍କୁ ହରାଇଥିବାରୁ ତାଙ୍କ ପିତା ରତିକାନ୍ତ ନାଥ ହିଁ ତାଙ୍କର ଏକମାତ୍ର ଆଶା ଓ ଭରସା । ପୁଅର ଚିକିତ୍ସା ପାଇଁ ରତିକାନ୍ତ ବହୁ କଷ୍ଟ ସହ ନିୟମିତ ଭାବେ ବିଭିନ୍ନ ସମାଜସେବୀ ଓ ରକ୍ତଦାତାଙ୍କ ସହଯୋଗରେ ରକ୍ତ ଏବଂ ପ୍ଲେଟଲେଟ ଯୋଗାଡ଼ କରିଆସୁଛନ୍ତି । ଡାକ୍ତରଙ୍କ ପରାମର୍ଶକ୍ରମେ ହିତେଶଙ୍କ ପାଇଁ ତୁରନ୍ତ AB+ve ପ୍ଲେଟଲେଟର ଆବଶ୍ୟକତା ହେବାରୁ ତାଙ୍କ ପିତା ରତିକାନ୍ତ ନାଥ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡଃ. ନରେଶ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ । ଡଃ. ନରେଶ ଚନ୍ଦ୍ର ସାହୁ ତୁରନ୍ତ ବାରିପଦାର ନିୟମିତ ରକ୍ତଦାତା ଡଃ. ନିରୋଜ କୁମାର ପୋଥାଳଙ୍କୁ ଏହି ଆବଶ୍ୟକତା ବିଷୟରେ ଜଣାଇଥିଲେ । ଖବର ପାଇବା ମାତ୍ରେ ଡଃ. ନିରୋଜ ବିଳମ୍ବ ନକରି ବାରିପଦାରୁ ରାତ୍ରି ବସ୍‌ ଯୋଗେ ଭୁବନେଶ୍ୱର ଯାତ୍ରା କରିଥିଲେ । ପରଦିନ ସକାଳେ ଏମ୍ସ ହସ୍ପିଟାଲରେ ପହଞ୍ଚି ସେ ନିଜର ପ୍ଲେଟଲେଟ ଦାନ କରି ଚିକିତ୍ସାଧୀନ ହିତେଶଙ୍କ ଜୀବନ ରକ୍ଷା ପାଇଁ ସହଯୋଗ କରିଥିଲେ । ଡ. ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ଲେଟଲେଟ ସଂଗ୍ରହ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଡଃ. ନିରୋଜ କୁମାର ପୋଥାଳ ପୂର୍ବରୁ ମଧ୍ୟ ବହୁବାର ବାରିପଦାରୁ ଭୁବନେଶ୍ୱର ଓ କଟକ ଯାଇ ଡେଙ୍ଗୁ, ବନମେରୋ ଓ କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର ପ୍ଲେଟଲେଟ ଦାନ କରିଆସୁଛନ୍ତି । ଏପର୍ଯ୍ୟନ୍ତ ସେ ସର୍ବମୋଟ ୧୪୦ ଥର ରକ୍ତଦାନ କରିଥିବା ସହ ବିଭିନ୍ନ ସ୍ଥାନରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ଜଣେ ଅଜଣା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦୂରଦୂରାନ୍ତରୁ ଯାଇ ଜରୁରୀକାଳୀନ ପ୍ଲେଟଲେଟ ଦାନ କରିବାର ଏହି ମାନବିକ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ରକ୍ତଦାନ ଓ ପ୍ଲେଟଲେଟ ଦାନ ପାଇଁ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.