
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତର ପିଟାପରା ଗ୍ରାମରେ ମା’ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ତଥା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ଉପ-ଡାକପାଳ ରମେଶ ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ଜାନକୀ ସାହୁ ଉପସ୍ଥିତ ହୋଇ କଳା, ସଂସ୍କୃତି ଓ ସାହିତ୍ୟ ବିଷୟରେ ଆଲୋକପାତ କରି, ସୁସ୍ଥ ତଥା ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମର ସଭାପତି ଦୁଧେଶ୍ଵର ସାହୁ ସାଂସ୍କୃତିକ ଅନୁଷ୍ଠାନର ଉଦ୍ଦେଶ୍ୟ ଜ୍ଞାପନ କରି ଅଞ୍ଚଳରେ ଲୁକ୍କାୟିତ ସମସ୍ତ କଳା ପ୍ରତିଭାର ସ୍ଫୁରଣ ପାଇଁ ଦିଗ୍ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ସଂସ୍କୃତି ଗବେଷକ ସୁଧାକର ସାହୁ ଯୋଗଦାନ କରି ଲୋକକଳା ଲୋକନୃତ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯଶୋବନ୍ତ ସାହୁ, ହେମରାଜ ସାହୁ, ଜୟନାରାୟଣ ସାହୁ, ବିଷମ ସାହୁ ପ୍ରଭୃତି ଯୋଗଦାନ କରି ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅଭିଭାଷଣ ରଖିଥିଲେ । ଭାରତୀୟ ସେନାବହିନୀର ଅବସରପ୍ରାପ୍ତ ଯବାନ ଜୟନାରାୟଣ ସାହୁଙ୍କୁ ତଥା ଗାଁର ବ୍ଲକ୍ ଟପ୍ପର ହୋଇଥିବା ଆଶିଷ ସାହୁ ଆଉ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ଉପଲବ୍ଧି ପାଇଁ କୁମାରୀ ଲିପ୍ସା ସାହୁ ଓ କୁମାରୀ ପ୍ରୀତି ସାହୁ ସମସ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ ପୁରସ୍କାର ରାଧା କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ୍ ପ୍ରଥମ ସ୍ଥାନ ଅଧିକାର କରିଥିଲା । ବିଚାରକ ଭାବେ ସତ୍ୟନାରାୟଣ ସାହୁ, ବିଜୟ କୁମାର ସାହୁ ଓ କୁମାରୀ ଦୀପାଞ୍ଜଳି ମେହେରଙ୍କୁ ଦାୟିତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ପାଇଁ ସତ୍ୟନାରାୟଣ, ବିବେକାନନ୍ଦ, ବିକ୍ରମ ସହଯୋଗ କରିଥିଲେ । ଗ୍ରାମର ଯୁବ ଜ୍ୟୋତି କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମକୁ ପିଟାପରା ଗ୍ରାମବାସୀ ବୃନ୍ଦ ଉପଭୋଗ କରିଥିଲେ ଏବଂ ସଭାପତିଙ୍କ ଆହ୍ୱାନ କ୍ରମେ ଧନ୍ୟବାଦ୍ ଅର୍ପଣ ପୂର୍ବକ ସମସ୍ତ କାର୍ଯ୍ୟକଳାପ ପରି ସମାପ୍ତି ହେଲା ।