jayashree

ବାରିପଦାରେ ଓଏଭି ଫାଉଣ୍ଡେସନ୍ ଡେ ‘ସ୍ପାର୍କ’ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା, ନବସୃଜନ ଓ ନୂତନ ଚିନ୍ତାଧାରାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଓଏଭି ଫାଉଣ୍ଡେସନ୍ ଡେ ‘ସ୍ପାର୍କ’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ, ସମସ୍ୟା ସମାଧାନ କୌଶଳ ଏବଂ ସୃଜନଶୀଳ ଚିନ୍ତନର ବିକାଶ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜ ଅଭିଭାଷଣରେ ସେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ବିଜ୍ଞାନ, ପ୍ରଯୁକ୍ତି, ନୂତନ ଚିନ୍ତାଧାରା ଓ ସୃଜନଶୀଳ କାର୍ଯ୍ୟକଳାପ ପ୍ରତି ଆଗ୍ରହୀ ହେବା ଆବଶ୍ୟକ ବୋଲି କହିଥିଲେ । ଛାତ୍ରଜୀବନରୁ ନିଜର ପ୍ରତିଭା ଓ ଦକ୍ଷତାକୁ ଚିହ୍ନଟ କରି ତାହାର ବିକାଶ ଦିଗରେ ନିରନ୍ତର ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଦୁଃଖବନ୍ଧୁ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଜ୍ଞାନର ଆବଶ୍ୟକତା ଓ ଅନୁସନ୍ଧାନମୂଳକ ଚିନ୍ତାଧାରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଉତ୍ପତି ଓ ଛାତ୍ରଛାତ୍ରୀ ମାନେ ଦ୍ଵାଦଶ ପାସ କରିବା ପରେ ଉଚ୍ଚ ଶିକ୍ଷା ନିମନ୍ତେ ନିଟ୍‌, ଜେଇ ଓ ବର୍ତ୍ତମାନର ପରିବର୍ତ୍ତନଶୀଳ ଯୁଗରେ ନୂତନ ଜ୍ଞାନ ଆହରଣ, ନିଜେ ଚିନ୍ତା କରିବା ଏବଂ ନୂତନ କିଛି ସୃଷ୍ଟି କରିବାର ମାନସିକତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସ୍ପାର୍କ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏହାର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବିଜ୍ଞାନକୁ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ଦେଖିବା ଏବଂ ନୂତନ ଧାରଣାକୁ କାର୍ଯ୍ୟରୂପ ଦେବା ଦିଗରେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ସେ ପ୍ରେରଣା ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମୟୂରଭଞ୍ଜ ପୂର୍ଣ୍ଣଚନ୍ଦ୍ର ସେଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସେ ନିଜ ଅଭିଭାଷଣରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ସହିତ ସେମାନଙ୍କର ବହୁମୁଖୀ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ପ୍ରକାଶ କରିଥିଲେ । ଏହି ଅବସରରେ ଓଏଭି ବଡଡାଲିମା, ତିରିଂର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରା ଓ ଓଏଭି ଶାମାଖୁଣ୍ଟାର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ପାଢ଼ୀ ତଥା ଜିଲ୍ଲାର ବିଭିନ୍ନ ଓଏଭିର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂହ, ଗୌତମ କୁମାର ପାତ୍ର ଓ ଶଶୀଧର ସିଂହଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଉପସ୍ଥିତ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ‘ସ୍ପାର୍କ’ ଫାଉଣ୍ଡେସନ୍‌ଡେ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏକ ସାଧାରଣ ମଞ୍ଚରେ ଏକତ୍ରିତ ହୋଇ ନିଜର ଚିନ୍ତାଧାରା, ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ସୁଯୋଗ ପ୍ରଦାନ କରିଛି । ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ, ଅନୁସନ୍ଧାନର ମାନସିକତା ଓ ସୃଜନଶୀଳ ଚିନ୍ତନର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଓଏଭି ରାଣୀ ଭୋଳର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ, ଓଏଭି ମୋରଡ଼ାର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.