
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ା ପାଳନ ଲକ୍ଷ୍ୟରେ ଭବାନୀପାଟଣା ଟାଉନ୍ ଥାନା ପୋଲିସ ପକ୍ଷରୁ ଏକ ବିଶେଷ ଚେକିଂ ଅଭିଯାନ କରାଯାଇଛି । ଗାଡ଼ିରେ କମ୍ପାନୀ ସାଇଲେନ୍ସର କାଢ଼ି ବେଆଇନ ଭାବେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାହନ ଚାଳକଙ୍କ ଉପରେ ପୋଲିସ କଡ଼ା ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ସ୍ପେଶାଲ ଜାଞ୍ଚ ଅଭିଯାନ ସମୟରେ ଟାଉନ୍ ଥାନା ପୋଲିସ ଟିମ୍ ସହରର ବିଭିନ୍ନ ପ୍ରମୁଖ ଛକରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିଥିଲେ । ପ୍ରଚଣ୍ଡ ଓ କାନଫଟା ଶବ୍ଦ ସୃଷ୍ଟି କରୁଥିବା ୭ଟି ଦୁଇଚକିଆ ଯାନ (ବିଶେଷ କରି ବୁଲେଟ୍ ଓ ସ୍ପୋର୍ଟସ୍ ବାଇକ୍)କୁ ପୋଲିସ ଜବତ କରିଛି । ଏହାସହ ନିୟମ ଭଙ୍ଗକାରୀଙ୍କ ବିରୋଧରେ ମୋଟର ଯାନ ଆଇନ୍ ଅନୁଯାୟୀ ଚାଲାଣ କାଟି ମୋଟ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ବରିଷ୍ଠ ନାଗରିକ, ରୋଗୀ ଓ ପରୀକ୍ଷାର୍ଥୀଙ୍କୁ ଶବ୍ଦ ପ୍ରଦୂଷଣଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ କଡ଼ାକଡ଼ି ଭାବେ ଜାରି ରହିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଯେଉଁମାନେ ଗାଡ଼ିରେ ବେଆଇନ ସାଇଲେନ୍ସର ବ୍ୟବହାର କରୁଛନ୍ତି, ସେମାନେ ତୁରନ୍ତ ତାହା ହଟାଇ କମ୍ପାନୀ ସାଇଲେନ୍ସର ଲଗାଇବାକୁ ପୋଲିସ ସଚେତନ କରିଛି । ଅନ୍ୟଥା ଆଗକୁ ଗାଡ଼ି ଜବତ ସହ ଆହୁରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଟାଉନ୍ ଥାନା ପୋଲିସର ଏହି କଡ଼ା ପଦକ୍ଷେପକୁ ଭବାନୀପାଟଣା ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।