
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜିକାଲିର ଚାକଚକ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ମଧ୍ୟରେ ଜନ୍ମଦିନ ଭଳି ଖୁସିର ମୁହୂର୍ତ୍ତକୁ ବିଳାସପୂର୍ଣ୍ଣ ହୋଟେଲ କିମ୍ବା ଡିଜେ ଗୀତ ନାଚ ଓ କେକ ନ କାଟି ନିରାଡମ୍ବର ଭାବେ ପୁଅ ଚେତକର ଜନ୍ମ ଦିନ କୁଷ୍ଠାଶ୍ରମରେ ପାଳନ କଲେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ଗହଣରେ ଖାଦ୍ୟ ବଣ୍ଟନ କରି ପୂରା ପରିବାର ସହ ନୂଆଁଖାଇ ଜୁହାର ଭେଟଘାଟ ହୋଇ ସମାଜ ତଥା ଯୁବପିଢି ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀ ଲୁହା । ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କୁ ସାମାଜିକ ମୁଖ୍ୟଧାରାରେ ଯୋଡ଼ିବା ତଥା ସେମାନଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସ ବେଶ୍ ପ୍ରଶଂସନୀୟ ହୋଇଛି । ସମାଜର ମୁଖ୍ୟସ୍ରୋତରୁ ପ୍ରାୟତଃ ଅଲଗା ରହୁଥିବା ଏହି ଅନ୍ତେବାସୀମାନେ ନିଜ ପରିବେଶରେ ଏପରି ଆନନ୍ଦ ଉଲ୍ଲାସ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ । କୁଷ୍ଠାଶ୍ରମ ପରିସର ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା । ଅନ୍ତେବାସୀମାନେ ପୁଅ ଚେତକଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ହୃଦୟଭରା ଆଶୀର୍ବାଦ ପ୍ରଦାନ କରିଥିଲେ । ଜଣେ ଜନ ପ୍ରତିନିଧି ହିସାବରେ ନାରାୟଣ ଲୁହାଙ୍କର ଏହି ନିଆରା ପଦକ୍ଷେପ କେବଳ ତାଙ୍କ ପରିବାର ପାଇଁ ଏକ ସ୍ମରଣୀୟ ଦିନ ନୁହେଁ ବରଂ ଆଗାମୀ ପିଢ଼ିକୁ ସେବା, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧର ଏକ ନୂଆ ଦିଗଦର୍ଶନ ଦେଇଛି । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଏହି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ସାମିଲ ଥିଲେ ।