
- ବିଶେଷଜ୍ଞ ଡାକ୍ତରଙ୍କ ସେବା ପାଉ ନାହାନ୍ତି ସାଧାରଣ ଲୋକେ
- ସୁଧାର ନ ଆସିଲେ ହେବ ଆନ୍ଦୋଳନ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଚୁଡାପାଲିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେହି ଅଂଚଳର ଲୋକଙ୍କୁ ଠିକ୍ ଭାବରେ ସ୍ୱାସ୍ଥ୍ୟସେବା ଯୋଗାଇ ପାରୁନାହିଁ । ପ୍ରାୟତଃ ଏଠାରେ ଡାକ୍ତର ଅଭାବ ଦେଖାଦେଉଛି । ଯାହା କିଛି ବି ଡାକ୍ତର ଅଛନ୍ତି ସେମାନେ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଆନ୍ତରିକତା ଦେଖାଉ ନାହାନ୍ତି । ଏପରି କି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀଙ୍କୁ ସାଧାରଣ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲକୁ ପଠାଇବା ଦ୍ୱାରା ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଦେଖାଦେଉଛି । ତେଣୁୁ ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ସ୍ଥାପନ ହୋଇଥିବା ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭଗବାନଙ୍କ ଭରଷାରେ ଚାଲିଛି ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକାର ଯଥା ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ, ଶଲ୍ୟ, ଦନ୍ତରୋଗ ବିଶେଷଜ୍ଞ ରୋଗୀ ସେବା ପାଇଁ ସଦାସର୍ବଦା ଉପସ୍ଥିତ ରହିବା ଦରକାର କିନ୍ତୁ ଦୁଃଖର କଥା ଶଲ୍ୟ ରୋଗ ବିଶେଷଜ୍ଞ ଥିଲେ ହେଁ ପ୍ରଶାସନିକ କାର୍ଯ୍ୟ ଦେଖାଇ ସେ ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି । ଶିଶୁ ଓ ପ୍ରସୂତି ବିଭାଗ ଖାଲି ପଡିଛି । ଏଠି ସମସ୍ତ ପ୍ରକାର ଚିକିତ୍ସା ଦନ୍ତ ରୋଗ ବିଶେଷଜ୍ଞ ଯଦି କରିବେ ତେବେ ରୋଗୀ କିଭଳି ଉପକୃତ ହେବ ବୁଝି ହେଉନାହିଁ । ଆହୁରି ମଧ୍ୟ କୌଣସି ଡାକ୍ତର କିମ୍ବା ଅଣ ଡାକ୍ତରୀ କର୍ମଚାରୀଙ୍କ ଡ୍ୟୁଟି ତାଲିକା ନୋଟିସ ବୋର୍ଡରେ ପ୍ରଦର୍ଶନ କରାଯାଉନାହିଁ । ଫଳରେ ରୋଗୀ ଆସିଲେ କେଉଁ ଡାକ୍ତରଙ୍କ କେତେବେଳେ ଚିକିତ୍ସା ପାଇଁ ଉପଲବ୍ଧ ରହିବେ ଜାଣିପାରୁ ନାହାନ୍ତି । ଜଣେ ଜଣେ ବିଶେଷଜ୍ଞ ଡାକ୍ତର ମାସକୁ ଦୁଇ ଦିନ ଆସି ଚିକିତ୍ସା କରୁଛନ୍ତି, ଏହା କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ପୂର୍ବରୁ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ କରିଥିଲେ । ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାରେ ହେଉଥିବା ଅବହେଳାର ତଦନ୍ତ କରନ୍ତୁ ଏବଂ ଡାକ୍ତରମାନେ ଯେପରି ସେଠାରେ ପୁର୍ଣ୍ଣାଙ୍ଗ ଭାବରେ ଦିନ ରାତି ଉପଲବ୍ଧ ରହିବେ, ହସ୍ପିଟାଲରେ ଜରୁରୀକାଳୀନ ସମେତ ରାତ୍ରି କାଳୀନ ଚିକିତ୍ସା ଉତ୍ତମ ଭାବରେ ପ୍ରଦାନ କରିବେ ସେ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବହେଳା ପାଇଁ ଲୋକେ ନିଶ୍ଚିତ ଭାବରେ ଆନ୍ଦୋଳନ କରିବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଏହା ସହ ସେ ଏ ଅଂଚଳରେ ଥିବା ବିଜୁଳି ସମସ୍ୟା ଉପରେ ମଧ୍ୟ କହିଛନ୍ତି ଯେ ଚୁଡାପାଲିକୁ ବାରପୁଡୁଗିଆ ପଟରୁ ଆସୁଥିବା ବିଜୁଳି ଖୁଣ୍ଟ ଗୁଡିକ ଲୋୟର ସୁକତେଲ ପାଣିରେ ବୁଡି ରହିଛି । ଏହାର ତୁରନ୍ତ ବିକଳ୍ପ ବ୍ୟବସ୍ଥା କରନ୍ତୁ । ଚୁଡାପାଲିବାସୀ ବିଜୁଳି ବିଭାଗକୁ ବାରମ୍ବାର ଏହି ସମସ୍ୟା ଜଣାଇଥିଲେ ହେଁ ବିଜୁଳି ବିଭାଗ ଅଣଦେଖା କରୁଛି । ଯଦି ବିଜୁଳି ଖୁଣ୍ଟ ଭାଙ୍ଗି ପାଣିରେ ପଡେ ତେବେ ଅନେକ ଧନଜୀବନ କ୍ଷତି ହେବାର ଆଶଂକା ଅଛି । ତେଣୁ ଏହି ସମସ୍ୟାକୁ ଯେତେ ଶୀଘ୍ର ହେବ ସମାଧାନ କରନ୍ତୁ । ଆହୁରି ମଧ୍ୟ ଚୁଡାପାଲିରେ ଥିବା ଏସ୍ଏସ୍ଡି ସ୍କୁଲରେ ଠିକ୍ ହିସାବରେ ଶିକ୍ଷାଦାନ ହେଉନାହିଁ । ପ୍ରାୟତଃ ଛାତ୍ରଛାତ୍ରୀମାନେ କ୍ଲାସ ରୁମ ବାହାରେ ବୁଲୁଛନ୍ତି । ଏଥିରୁ ଜଣାପଡୁଛି ପର୍ଯ୍ୟାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ ହେଁ ସେମାନେ ଶ୍ରେଣୀକୁ ଯାଇ ପାଠ ପଢାଉ ନାହାନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।