
ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଲକ ବାଲିସାହି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ପକାଇ ଜାଳି ଦେବା ଘଟଣାରେ ମୃତକଙ୍କ ପରିବାର, ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଗଣିଆ କଣ୍ଟିଲୋ ରାସ୍ତାର ଗଣିଆ ସରକାରୀ ବସଷ୍ଟାଣ୍ଡ ନିକଟ ରାସ୍ତା ଉପରେ ବସି ଟାୟାର ଜାଳି ପୂର୍ବାହ୍ନ ୧୦ଟା ସମୟରେ ରାସ୍ତା ରୋକ୍ ଆରମ୍ଭ କରିଥିଲେ । ସୋମବାର ରାସ୍ତାକଡ଼ରେ ଅପରାହ୍ନରେ ପରିତ୍ୟକ୍ତ ଅବସ୍ଥାରେ ପୋକସୁଙ୍ଗାନଟିରେ ଅର୍ଦ୍ଧଦଗ୍ଧ ମୃତଦେହ ଗଣିଆ ପୋଲିସ ଦ୍ୱାରା ଠାବ କରାଯାଇଥିଲା । ମୃତକ ଜଣକ ହେଉଛନ୍ତି ଖଣ୍ଡପଡା ଥାନା ଅନ୍ତର୍ଗତ ରୟତି ଢୋଲମରା ପଞ୍ଚାୟତ ଅଧିନ କନ୍ଧମିରିଗି ଗ୍ରାମର ଋଷିଆ ପ୍ରଧାନଙ୍କ ୧୮ ବର୍ଷୀୟ ପୁଅ ସଞ୍ଜୟ ପ୍ରଧାନ । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଯୁବକ ଜଣକ ଭୁବନେଶ୍ୱରରେ ରହି କାଠକାମ କରୁଥିଲେ । ସେଠାରୁ ରବିବାର ପୂର୍ବାହ୍ନରେ ଘରକୁ ଆସିବା ପାଇଁ ବାହାରିଥିଲେ ହେଁ ନିଜ ଘର କନ୍ଧମିରିଗି ଗ୍ରାମରେ ପହଞ୍ଚି ନଥିଲେ । ସଞ୍ଜୟଙ୍କ ଗଣିଆ ବାଲିସାହି ଗ୍ରାମର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ମୃତକଙ୍କ ପରିବାର ଲୋକ କହିଛନ୍ତି । ଉକ୍ତ ମହିଳାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ ହେଉଛି । ଓଡ଼ଗାଁ ଅଞ୍ଚଳରେ ଏକ ନିର୍ମମ ଭାବେ ହୃଦୟ ବିଦାରକ ହତ୍ୟା ଘଟଣା ମନରୁ ଲିଭି ନ ଥିବା ବେଳେ ବାଲିସାହି ଅଞ୍ଚଳରେ ଏଭଳି ଏକ ଅମାନୁଷିକ ଲୋମ ଟାଙ୍କୁରା ହତ୍ୟା ଘଟଣା ସମସ୍ତ ହୃଦୟ ବିଦାରଣ କରି ଚାଞ୍ଜଲ୍ୟ ସୃଷ୍ଟି ହେବା ସହ କୋକୁଆଭୟ ଦେଖାଦେଇଛି । ଏଣୁ ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଥିଲେ ମୃତ ସଞ୍ଜୟଙ୍କ ପରିବାର ଓ ସମ୍ପର୍କୀୟ । ଖବର ପାଇ ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଆସିଷ୍ଟାଣ୍ଟ ଏସପି ଗଣିଆ ଆସି ତହସିଲଦାର, ଖଣ୍ଡପଡା ଏସଡିପିଓ, ଖଣ୍ଡପଡା ଥାନା ଅଧିକାରୀ, ଗଣିଆ ଥାନା ଅଧିକାରୀ, ଦଶପଲ୍ଲା ଥାନା ଅଧିକାରୀଙ୍କ ସହଯୋଗରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ବୁଝାସୁଝା କରିଥିଲେ । ଖବର ପାଇ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଆସି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ନିଶ୍ଚିତ ରୂପେ ସଂଜୟକୁ ନ୍ୟାୟ ମିଳିବ ଓ ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରାଯାଇ ଆଇନ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି କଥା ଦେଇ ବୁଝାସୁଝା କରିଥିଲେ । ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଦେଇ ମୃତକଙ୍କ ପରିବାର ଲୋକ ରାସ୍ତାରୋକରୁ ହଟିଥିଲେ । ଦୀର୍ଘ ୪ ଘଣ୍ଟା ଧରି ଚାଲୁ ରହିଥିବା ରାସ୍ତାରୋକ ଅପରାହ୍ନ ୨ଟା ସମୟରେ ହଟାଯାଇ ଯାନବାହନ ସ୍ୱାଭାବିକ ଭାବରେ ଚଳପ୍ରଚଳ ହୋଇଥିଲା । ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଥିବା ସୂଚନା ମିଳିଛି ।