
ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଚାଷୀ ମାନଙ୍କ ମୁଖ୍ୟ ସମସ୍ୟା ଠିକ୍ ସମୟରେ ଚାଷ କାମ ପାଇଁ ପାଣିର ଆବଶ୍ୟକ ରହିଥାଏ । ବେଳେବେଳେ ବର୍ଷା ଅଭାବରେ ଚାଷ କାମ ବ୍ୟାହତ ସୃଷ୍ଟି କରିବା ସମସ୍ୟାକୁ ଦୂର କରିବା ପାଇଁ ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦରେ କେନାଲ, ଚେକ୍ଡ଼୍ୟାମ୍, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ବୋରୱେଲ୍ ପ୍ରକଳ୍ପ ମାଧ୍ୟମରେ ପାଣିର ବ୍ୟବସ୍ଥା କରିଥାନ୍ତି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅର୍ଥ ଶ୍ରାଦ୍ଧର ସଲାସୁତରା କାରବାର ହେତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅନୁମୋଦିତ ପ୍ରକଳ୍ପ ଚାଷୀଙ୍କ ଚାଷ କାମ ଆସୁନଥିବା ଗୁରୁତର ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ବଂଞ୍ଜାରି ନିକଟସ୍ଥ ମାୟାବତୀ ନଦୀ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ଡ଼୍ୟାମ ନିର୍ମାଣ କରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଛି ଏବଂ କେନାଲ ସାହାଯ୍ୟରେ ଚାଷ କାମ ପାଇଁ ପାଣି ମାଡାଇବା ବ୍ୟବସ୍ଥା କରାଯାଇଛି । ନିମାର୍ଣାଧିନ କେନାଲର ଉନ୍ନତିକରଣ ପାଇଁ, ୨୦୨୧ ଆର୍ଥିକ ବର୍ଷ ଗତ ମାର୍ଚ୍ଚ ମାସରେ ୫ କୋଟି ୩୨ ଲକ୍ଷ ୭୧ ହଜାର ୪ଶହ ଟଙ୍କା ମଞ୍ଜୁର ହୋଇଥିଲା । କେନାଲର ଉନ୍ନତିକରଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ କେନାଲ କାମରେ ଫାଟ ସୃଷ୍ଟି ହେଉଛି । ଏହି କେନାଲ କାମ ସମ୍ପୂର୍ଣ୍ଣ କରିବା ପାଇଁ ଦେଢ଼ ବର୍ଷ ଅବଧି ସମୟ ରହିଥିବା ପାଟଣାଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଧରଣୀଧର ତ୍ରିପାଠୀ କହିଛନ୍ତି । ପ୍ରାୟ ୪ ହଜାର ୪୫୦ ମିଟର ଡାହାଣ ପାର୍ଶ୍ଵର କେନାଲ ଉକ୍ତ ଡ଼୍ୟାମରୁ ବାହାରି ବଞ୍ଜାରୀ, ବର୍ଥଲା ଦେଇ ବ୍ରହ୍ମପୁରା ନିକଟରେ ଥିବା ଚାଷ ଜମି ପର୍ଯ୍ୟନ୍ତ ନିର୍ମାଣ କାମ କରାଯାଇଥିଲା । କେନାଲ କାମରେ ବାଲି, ସିମେଣ୍ଟ, ଚିପସ୍ ଠିକ୍ ବ୍ୟବଧାନରେ ଉପଯୋଗ କରାଯାଇ ନାହିଁ । କେନାଲ ଲାଇନିଂ କାମରେ ମୋଟେଇ କମ୍ ଥିବା ଏବଂ ଥୁକ୍ ପାଲିସ୍ ଭଲି କାମ ଯୋଗୁ ଅନେକ ସ୍ଥାନରେ ଫାଟ ଓ ଜାଳି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । କାର୍ଯ୍ୟର ତଦାରଖ ପାଇଁ ଯାଉଥିବା ବିଭାଗୀୟ ଅଧିକାରୀଙ୍କୁ ଚାଷୀମାନେ ଅନେକ ଥର ଅଭିଯୋଗ କରିଥିଲେ । ଅନ୍ନ ଦାତା ଭାବରେ ପରିଚିତ ଥିବା ଚାଷୀ ମାନଙ୍କ ଗୁହାରି କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ କାନରେ ଶୁଣି ଅନ୍ୟ କାନରେ ବାହାର କରି କେହି ଶୁଣୁ ନାହାନ୍ତି ବୋଲି ଚାଷୀ ବିମଲ ସାହୁ, ଦଶରଥ ଘିଭେଲା ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରଙ୍କ କୋଟି କୋଟି ଟଙ୍କାର ବ୍ୟୟ ବରାଦ ନିର୍ମାଣ ହେଉଥିବା ମାୟାବତୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଡ଼୍ୟାମଟି ମୃଗ ତୃଷ୍ଣା ପାଲଟି ନ ଯାଉ ବୋଲି ଚାଷୀଙ୍କ ମହଲରେ ମତ ପ୍ରକାଶ ପାଉଛି ।