mahavir

ବାଲିବନ୍ଧ ତିଆରି କରି ଅଟକା ଯାଇଛି ଭେଡେନ ନଦୀର ଜଳ ପ୍ରବାହ, ପରିବେଶ ଅସନ୍ତୁଳନ ଆଶଙ୍କା

​ଝାରସୁଗୁଡ଼ା/ରାଉରକେଲା, (ସସ୍ମିତା ପ୍ରଧାନ) : ହୀରାକୁଦ ନଦୀବନ୍ଧ ନିକଟସ୍ଥ ଝାରସୁଗୁଡା ସଦର ବ୍ଲକ ହିର୍ମା ଠାରେ ଥିବା ଭେଡ଼େନ ନଦୀର ପ୍ରାକୃତିକ ଜଳ ପ୍ରବାହକୁ ବାଲିବନ୍ଧ ନିର୍ମାଣ କରି ରୋକାଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ଗଭୀର ଚିନ୍ତା ପ୍ରକଟ ପାଇଛି । ବିଶେଷ କରି ହିର୍ମା ଓ ମଳଦା ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ସହିତ ପରିବେଶ ଅସନ୍ତୁଳନର ଆଶଙ୍କା କରାଯାଉଛି । ଭେଡେନ ନଦୀର ଜଳ ଗର୍ଭରେ ଏପଟେ ହିର୍ମା ଠାରୁ ନଦୀର ବିପରୀତ ପାର୍ଶ୍ୱ ମଳଦା ପର୍ଯ୍ୟନ୍ତ ଏକ ବିରାଟ ବାଲିବନ୍ଧ ତିଆରି କରାଯାଇଛି । ଯାହାଦ୍ୱାରା ଭେଡେନ ନଦୀରେ ଗ୍ରୀଷ୍ମ ଋତୁରେ ଯେତେ ବି ଜଳସ୍ରୋତ ଆସୁଛି, ସେସବୁ ବାଲିବନ୍ଧ ଦ୍ୱାରା ଅଟକି ରହିଯାଉଛି । ଯାହାଦ୍ୱାରା ଭେଡେନ ନଦୀର ଉପର ମୁଣ୍ଡରେ ଥିବା ଅଞ୍ଚଳରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଚାଷ କାର୍ଯ୍ୟ ଉପରେ ପଡୁଥିବା ବେଳେ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନଦୀର ସ୍ୱାଭାବିକ ଗତି ଅଟକିବା ଦ୍ୱାରା ସ୍ଥାନୀୟ ମାଛ ଓ ଅନ୍ୟାନ୍ୟ ଜଳଚର ଜୀବଙ୍କ ବଂଶବୃଦ୍ଧିରେ ମଧ୍ୟ ବଡ଼ ବାଧା ସୃଷ୍ଟି ହୋଇଛି, ଯାହା ଜୈବ ବିବିଧତା ପ୍ରତି ଏକ ବିପଦ ସଙ୍କେତ ଅଟେ । ଏହାଦ୍ୱାରା ଭେଡେନ ନଦୀର ଜଳ ହୀରାକୁଦ ଜଳ ଭଣ୍ଡାରକୁ ମଧ୍ୟ ପ୍ରବେଶ କରି ପାରୁନାହିଁ । ଯାହାଦ୍ୱାରା ଭେଡେନ ନଦୀ ତାର ପ୍ରକୃତ ରୂପ, ଗତିପଥ ହରାଇବା ସହିତ ପରିବେଶ ଅସନ୍ତୁଳନ ଆଶଙ୍କା ସୃଷ୍ଟି ହେଲାଣି । ଏନେଇ ହିର୍ମା, ମଳଦା ଅଂଚଳର କିଛି ଲୋକ ଅଭିଯୋଗ କରି କହିଛନ୍ତି ଯେ, କେଉଁ ସଂସ୍ଥା କେଉଁ ଉଦ୍ଦେଶ୍ୟରେ ଏହି ପାଣିକୁ ରୋକିଛି, ତାହା ଜଣା ପଡୁନାହିଁ, କିନ୍ତୁ କିଛି କମ୍ପାନୀ ଏବଂ ଠିକା ସଂସ୍ଥା ନିଜର ସ୍ୱାର୍ଥ ସାଧନ କରିବା ପାଇଁ ନଦୀର ପାଣିକୁ ରୋକିଥିବା ସନ୍ଦେହ କରାଯାଉଛି । ଏହି ଗମ୍ଭୀର ସମସ୍ୟା ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜଳସେଚନ ବିଭାଗ, ପରିବେଶ ମନ୍ତ୍ରାଳୟ ଏବଂ ଝାରସୁଗୁଡା ଜିଲ୍ଲାପାଳ ସମ୍ବେଦନଶୀଳ ଭାବରେ ଘଟଣାର ତଦନ୍ତ କରାଇ ଭେଡେନ ନଦୀକୁ ପ୍ରକୃତ ଅଧିକାର ପ୍ରଦାନ କରନ୍ତୁ ବୋଲି ଅଂଚଳବାସୀ ଦାବୀ କରିଛନ୍ତି । ଏହା ସହିତ ନଦୀର ପ୍ରାକୃତିକ ପ୍ରବାହ ବଜାୟ ରଖିବା ପାଇଁ ଗ୍ରାମ ସଭା ଓ ପଞ୍ଚାୟତ ସ୍ତରରେ ବିଧିବଦ୍ଧ ପ୍ରସ୍ତାବ ପାରିତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଯଦି ସମୟ ଥାଉ ଥାଉ ଏହାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ପରିବେଶ ସଙ୍କଟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଏନେଇ ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ମତାମତ ମିଳି ପାରି ନ ଥିବା ବେଳେ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର କହିଛନ୍ତି ଯେ, ଏନେଇ କୌଣସି ଅଭିଯୋଗ ଆମ ପାଖକୁ ଆସିନାହିଁ ଏବଂ ଭେଡେନ ନଦୀରେ ତିଆରି ବାଲିବନ୍ଧ ନିର୍ମାଣ କରାଯାଇଥିବା ସତ୍ୟ ଅଟେ । ଏନେଇ ପ୍ରଶାସନ କୌଣସି ଅନୁମତି ମଧ୍ୟ ଦେଇନାହିଁ । ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ ବୋଲି ତହସିଲଦାର କୁମ୍ଭାର ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.