ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ

  • ଜୈବ ବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଓଡିଶା ଜୈବ ବିବିଧତା ବୋର୍ଡ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଆର୍‌ସିଡିଏସର ଆନୁକୂଲ୍ୟରେ ବୁଧବାର ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି । ଓଡିଶା ଜୈବ ବିବିଧତା ବୋର୍ଡର ଗବେଷକ ରିତେଶ ଶୁଭଙ୍କର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟଅତିଥି ଭାବେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ସମ୍ମାନିତ ଅତିଥି ଭାବେ ହରିଶଙ୍କର ବନପାଳ ସନ୍ଧ୍ୟାରାଣୀ ସେଠ୍, ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ପ୍ରମୁଖ ଯୋଗଦେଇ ମୃତ୍ତିକା କ୍ଷୟ, ଜଳ, ପରିମଳ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି, ଜୈବ ବିବିଧତାର ସଂରକ୍ଷଣ ଓ ସୁରକ୍ଷା ବଳରେ ଆମେ ନିଜେ ହିଁ ଆମ ନିଜକୁ ବଞ୍ଚାଇବାକୁ ପଡ଼ିବ, ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ପଡ଼ିବ, ଆମର ସ୍ୱାର୍ଥ ପାଇଁ ଜୈବ ବିବିଧତାର ସଂରକ୍ଷଣର ନିତାନ୍ତ ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରି ଏ ଦିଗରେ ସଂକଳ୍ପ ନେବାକୁ ପଡ଼ିବ ବୋଲି ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀ ନାଗ ଆହ୍ୱାନ ଦେଇଛନ୍ତି । ସେହିପରି ଜୈବ ବିବିଧତାକୁ ବଜାୟ ରଖିଲେ ପ୍ରାକୃତିକ ପରିବେଶର ସନ୍ତୁଳନ ରହିବ ନଚେତ ଆଗକୁ ପରିବେଶ ଉପରେ ବିପଦ ବଢ଼ି ଚାଲିବ । ଜୈବ ବିବିଧତା ବଜାୟ ରହିଲେ ଖାଦ୍ୟ ନିରାପତ୍ତା ଓ ପରିବେଶୀୟ ସମୃଦ୍ଧି ଅତୁଟ ରହିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା ଏବଂ ବାକ୍ୟ ପ୍ରତିଯୋଗିତା କରାଯାଇଥିଲା । ରଚନା ପ୍ରତିଯୋଗିତାରେ ଜସ୍ମିନ ବାରିକ ପ୍ରଥମ ପୁରସ୍କାର ପାଇଥିବା ବେଳେ ଅସୀମ ସାହୁ ଦ୍ଵିତୀୟ ଏବଂ ପ୍ରିୟମ୍ବଦା ପଟେଲ ତୃତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେହିପରି ବାକ୍ୟ ପ୍ରତିଯୋଗିତାରେ ଦୀପାଞ୍ଜଳି ଜାଲ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ସ୍ଵାଗତିକା ଭୋଇ ଦ୍ଵିତୀୟ ଏବଂ ସୁବ୍ରତ ମଗର ତୃତୀୟ ସ୍ଥାନ ଗ୍ରହଣ କରି ସମ୍ମାନିତ ହୋଇଥିଲେ । ସେହିପରି ଆଜି ରେଙ୍ଗାଲି ହରିଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ନାନ୍ଦୁପଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ମଧ୍ୟ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.

four × 1 =