ବଲାଙ୍ଗିର ରାଜନୀତିର ଏପାଖ ସେପାଖ

  • ଦେବାଶିଷ ମିଶ୍ର

ବଲାଙ୍ଗିର ବିଧାୟକ ନରସିଂହ ଆଗକୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ତାଙ୍କର ବୟସ ଓ ସ୍ୱାସ୍ଥ୍ୟଗତ କାରଣ, ତାଙ୍କୁ ଆଉ ଭୋଟ ରାଜନିତୀ କରିବାକୁ ଅନୁମତି ଦେବ ନାହିଁ । ଦଳ କିମ୍ବା ଜନତା ପୁଣି ତାଙ୍କୁ ବାଧ୍ୟ କଲେ ସେ ଉଭୟ ଙ୍କୁ ବୁଝାଇବେ । ତେବେ ସେ ଆଜିବନ ରାଜନିତୀରେ ରହିବେ ବୋଲି କହିଛନ୍ତି । ସେହିପରି ବିଜେଡିର ପୁରୁଣା ତୁଙ୍ଗ ନେତା ଅନଙ୍ଗ ନିଜର ରାଜନୈତିକ ସନ୍ୟାସ ଉପରେ କୌଣସି ଟିପ୍ପଣୀ ଦେଇ ନଥିଲେ ସୁଦ୍ଧା ରାଜ୍ୟସଭା ଆସନ ଗଲା ପରଠୁ, ସେ ମଧ୍ୟ ଆଉ ଭୋଟ ରାଜନିତୀ ରେ ନରହିବା ଏକ ରକମ ପକ୍କା ହୋଇ ସାରିଛି । ଆସନ୍ତା ୨୦୨୪ ନିର୍ବାଚନ ରଣଭୂମୀରେ ଦୁଇ ପୁରୁଣା ଓ ତୁଙ୍ଗ ନେତାଙ୍କ ଅନୁପସ୍ଥିତି ବଲାଙ୍ଗିର ଗାଦି ପାଇ ଏକ ଭେକ୍ୟୁମ୍ ସୃଷ୍ଟି କରିଛି । ଯିଏ ଏଥର ଏହି ଗାଦୀକୁ ହାତେଇବ, ଗାଦୀ ତାପାଇଁ ଆଉ ଦଶ ପନ୍ଦର ବର୍ଷର ରାଜନିତୀକୁ ସୁଗମ ଓ ସରଳ କରିଦେବ । ଖାଲି ହେବାକୁ ଥିବା ଏହି ବଲାଙ୍ଗିର ଗାଦିକୁ କବଜା କରିବାକୁ ହେଲେ ଏଥର ନିର୍ବାଚନ ପାଇଁ ଉଭୟଙ୍କୁ ନିଜର ଦାୟାଦ ପ୍ରସ୍ତୁତ କରି ସେହି ମୁତାବକ ଜନ ସମର୍ଥନ ଲୋଡିବାକୁ ହେବ । ନହେଲେ ଏହି ଗାଦି ଅନ୍ୟ କାହା ପାଖକୁ ଚାଲି ଯିବାର ସମ୍ଭାବନାକୁ ଏଡାଇ ଦିଆଯା ନପାରେ । ତେବେ ବଲାଙ୍ଗିର ର ସାରା ରାଜନିତୀ ଏବେ ଏହି କ୍ଷମତା କେନ୍ଦ୍ରର ଚାରିପଟେ ବୁଲୁଥିବା ବେଳେ ଜଣେ ହେବିୱେଟ ଦାୟାଦ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟ ଜଣକ ଦାୟାଦଙ୍କ ପାଇଁ ମାହୋଲ ତିଆରି କରିବାରେ ଲାଗିଛନ୍ତି ।

ବିଗତ କିଛି ନିର୍ବାଚନ ହେବ ରାଜ ଉଆସରୁ ମୁହଁ ମୋଡିଛନ୍ତି ବଲାଙ୍ଗିରବାସୀ । ୨୦୧୪ରେ ଖୋଦ ଅନଙ୍ଗ , ୨୦୧୯ରେ ଉଭୟ କଳିକେଶ ଓ ଭାଇ ଅର୍କେଶ ନିର୍ବାଚନରେ ମାତ ଖାଇଛନ୍ତି । ଦଳର ସଭାପତି ପଦ ମଧ୍ୟ ପ୍ରଥମ ଥର ରାଜ ଉଆସର ବାଡ ଡେଇଁ ଟିଟିଲାଗଡ ପହଞ୍ଚିଛି । ଜିଲ୍ଲାରେ ମନ୍ତ୍ରୀ ଟୁକୁନୀଙ୍କ ପତିଆରା ବଢିବାରେ ଲାଗିଥିବା ବେଳେ ଶ୍ରୀମୟୀ ମଧ୍ୟ ବିଜେଡି ପାୱାର କୋରିଡର ର ପସନ୍ଦ ପାଲଟିଛନ୍ତି । ଯାହକୁ ନେଇ ଜିଲ୍ଲାରେ କ୍ଷମତା କେନ୍ଦ୍ର ପାଇଁ ବିଜେଡିରେ ଟଣା ଓଟରା ଚାଲିଥିବା ସ୍ପଷ୍ଟ ଦେଖିବାକୁ ମିଳେ । ରାଜ ଉଆସ ଉଭୟ ନିର୍ବାଚନ ହାରିବା ପରେ ବହୁ ଦିନ ପର୍ଯ୍ୟନ୍ତ କ୍ଷମତା ଶୁନ୍ୟ ହୋଇ ପଡି ରହିଥିବା ବେଳେ କଳିକେଶଙ୍କୁ ହାଉସିଂ ବୋର୍ଡ ପଦ ମିଳିବା ପରେ ରାଜ ଉଆସର ସମସ୍ୟା କିଛି ବାଲାନ୍ସ ହୋଇଛି ସତ । କିନ୍ତୁ ଗତ ଥର ବିଜେଡିର ବଲାଙ୍ଗିର ପ୍ରତିନିଧି ଅର୍କେଷ ବ୍ୟକ୍ତିଗତ କାରଣରୁ ଆଉ ବଲାଙ୍ଗିର ରାଜନିତୀକୁ ନ ଫେରିବା ଖବର ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ଏହା ରାଜଉଆସର ଅଡୁଆ ବଢାଇଛି । ତେବେ ଗତ କିଛି ଦିନ ହେବ ରାଜ ପରିବାରର ପୁରଣା ରାଜନୈତିକ ସଂଯୋଜକ ତଥା ଅନଙ୍ଗଙ୍କ ଦ୍ୱିତୀୟ ପୁତ୍ର ମନ୍ମଥ ବଲାଙ୍ଗିର ଆସି ପିତା ଅନଙ୍ଗ ସହ ବିଭିନ୍ନ ଅଂଚଳ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଅକେର୍ଷଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୁନ୍ୟସ୍ଥାନକୁ ପୁରଣ କରିବା ପାଇଁ ଅନଙ୍ଗ ଦିର୍ଘ ୧୪ ବର୍ଷ ପରେ ମନ୍ମଥଙ୍କୁ ବଲାଙ୍ଗିର ରାଜନିତୀକୁ ଫେରାଇଥିବା ଚର୍ଚ୍ଚା ହେଉଛି । ଯାହା ରାଜପରିବାର ଦୁର୍ବଳ ହୋଇଥିବା ଛବି ସୁଧାରିବା ସହିତ ଉଭୟ ସାଂସଦ ଓ ବିଧାୟକ ପଦବି ପାଇଁ ଅନଙ୍ଗଙ୍କ ଦାବୀ ମଝବୁତ କରିବାକୁ ସହାୟକ ହେବ ।

ଅନ୍ୟପକ୍ଷରେ, ୨୦୦୯ ନିର୍ବାଚନ ହାରିବା ପରେ ନରସିଂହ ବଲାଙ୍ଗିର ରାଜନିତୀର ଆବଶ୍ୟକତା ଓ ବୁଦ୍ଧିଜିବୀ ଭୋଟରଙ୍କ ଉଦାସିନତାକୁ ଠିକ ଭାବେ ବୁଝି ପାରିଥିଲେ । ୨୦୧୪ ନିର୍ବାଚନରେ ଏହାକୁ ପାଥେୟ କରି ପରିବତ୍ତନର ନାରା ଦେଇ ବଲାଙ୍ଗିର ବିଧାନ ସଭା ଗାଦି ଉପରେ କବଜା କରିଥିଲେ । ରସ୍ତା ଘାଟ ବିଜୁଳି ପାଣି ଭଳି ଲୋକଙ୍କ ମୌଳିକ ସୁବିଧା ପାଇଁ ଲଢିବା ସହ ବଲାଙ୍ଗିରର ପୁରୁଣା ସ୍ୱପ୍ନ ମେଡିକାଲ କଲେଜକୁ କଳେ ବଳେ କୌଶଳେ ସାକାର କରିଥିଲେ । ରାଜ୍ୟ ରାଜନିତୀରେ ବିରୋଧି ଦଳ ନେତା ଭାବରେ ନିଜ ବିରୋଧି ଦଳ ଓ ସରକାରୀ ଦଳ ଉପରେ ମଧ୍ୟ ତାଙ୍କ ପତିଆରା ବଢିବାରେ ଲାଗିଲା । ୨୦୧୯ ନିର୍ବାଚନରେ ନରସିଂହ ବିଧାନ ସଭା ଓ ପୁତ୍ର ସମରେନ୍ଦ୍ର ସାଂସଦ ଟିକଟ ପାଇବା ପରେ କିଛି ଦଳିୟ କର୍ମୀ ଓ ସମର୍ଥକ ବିଦ୍ରୋହ କରି ରାଜ ଉଆସର ଶରଣ ପଶିଲେ । ଯଦିଓ ମୋଦୀ ହାୱାରେ ସମରେନ୍ଦ୍ର ହାର ମାନି ଥିଲେ । କିନ୍ତୁ ନରସିଂହ ଜନତାଙ୍କୁ ୨୪ ବର୍ଷ ବନାମ ୫ ବର୍ଷ ରିର୍ପୋଟ କାର୍ଡ ଦେଖାଇବା ସହ ରାଜ ଉଆସର ନେତୃତ୍ୱରେ ଏକ ଜୁଟ ହୋଇଥିବା ସମସ୍ତ ବିରୋଧିଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବଲାଙ୍ଗିର ରାଜଉଆସ କ୍ଷମତା ଶୁନ୍ୟ ହୋଇଥିଲା । ପରେ ପରେ ରାଜ୍ୟ ରାଜନିତୀରେ ନରସିଂହଙ୍କ ପତିଆରା କାହିଁ ରେ କାହିଁ ବଢିବାକୁ ଲାଗିଲା । ନିର୍ବାଚନ ପରେ ପୁତ୍ର ସମରେନ୍ଦ୍ର ଯଦିଓ ଦଳିୟ କାର୍ଯ୍ୟାକଳାପରେ ଭାଗ ନେଇ ଆସୁଥିଲେ କିନ୍ତୁ ସକ୍ରୀୟ ରାଜନିତୀରେ ଲୋକେ ତାଙ୍କୁ ଆଉ ଦେଖିବାକୁ ପାଇଲେ ନାହିଁ । ଏଭିତରେ ନରସିଂହଙ୍କ ବଡ ପୁଅ ଅମରେନ୍ଦ୍ର ପର୍ଦ୍ଦା ପଛରୁ ରାଜନିତୀ ସମ୍ଭାଳିବା ସହ ଉଭୟ ସହର ତଥା ରାଜ୍ୟ ରାଜନିତୀରେ ନିଜ ପତିଆରା ବଢାଇବାକୁ ଲାଗିଲେ । ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ଉକ୍ତ କେସ୍ ର ସରକାରୀ ଓକିଲ ଦାଇତ୍ୱ ଅମରେନ୍ଦ୍ରଙ୍କୁ ଦିଆ ଯିବା ପରେ ରାଜ୍ୟର ପାୱାର କରିଡର ଓ ଅମରେନ୍ଦ୍ରଙ୍କ ନିବିଡତା ସର୍ବସମ୍ମୁଖକୁ ଆସିଥିଲା । ୨୦୨୪ରେ ନରସିଂହ ନିର୍ବାଚନ ନ ଲଢୁଥିବା ସ୍ଥଳେ ଏପଟେ ମଧ୍ୟ ଗାଦୀକୁ ନେଇ ଏକ ଶୁନ୍ୟସ୍ଥାନ ସୃଷ୍ଟି ହେବ । ତେବେ ଅଗାମୀ ଦିନରେ ଅମରେନ୍ଦ୍ର ଶଙ୍ଖ ଧରିବା ସହ , ବଲାଙ୍ଗିର ବିଧାନ ସଭା ଆସନ ପାଇଁ ବିଜେଡି ପକ୍ଷରୁ ତାଙ୍କୁ ଟିକଟ ମିଳିବା ନେଇ ରାଜନିତୀ ମାହୋଲରେ ଏବେ ଠୁଁ ଚର୍ଚ୍ଚା ଜୋର ଧରିଲାଣି । ଅନ୍ୟ ପଟେ ସାନ ପୁଅ ସମରେନ୍ଦ୍ରଙ୍କୁ କଂଗ୍ରେସ ପକ୍ଷରୁ ପୁନଃ ସାଂସଦ ଟିକଟ ମିଳିବା ନେଇ କଂଗ୍ରସକର୍ମୀ ଏକମତ ରହିଛନ୍ତି ।

ବଲାଙ୍ଗିର ରାଜନୈତିକ ସମୀକରଣକୁ ଅନୁଧ୍ୟାନ କଲେ ଜଣା ଯାଏ, ଯଦିଓ କଂଗ୍ରେସ ନେତା ନରସିଂହ ଲଗାତାର ଦୁଇ ଦୁଇ ଥର ଗାଦୀ ହାତେଇବାରେ ସଫଳ ହୋଇଛନ୍ତି । କିନ୍ତୁ ନରସିଂହଙ୍କ ଛବିକୁ ଛାଡି ଦେଲେ ଏଠି କଂଗ୍ରେସର ଖାସ କିଛି ସତ୍ତା ନାହିଁ । ନରସିଂହଙ୍କ ପରେ କଂଗ୍ରେସ ପକ୍ଷରୁ ଆଉ କେହି ଲଢି ଗାଦୀ ହାତେଇବା ପାଖାପାଖି ଅସମ୍ଭବ । ସେହିପରି ସରକାରୀ ଦଳ ବିଜେଡିର ବିଶାଳ ଭୋଟ ବ୍ୟାଙ୍କ ଥିବା ସତ୍ୱେ ରାଜ ପରିବାର ଧିରେ ଧିରେ ଅଂଚଳରେ ନିଜର ପତିଆରା ହରାଇବାକୁ ବସିଛି । ରାଜ୍ୟ କ୍ଷମତା କେନ୍ଦ୍ରର ମଧ୍ୟ ରାଜ ଉଆସ ଉପରେ ଆଉ ସେ ଭରସା ନଥିବା ଅନେକ ଉଦାହରଣ ଶୁଣିବାକୁ ମିଳେ । ଏହି ପରିପ୍ରେକ୍ଷୀରେ ଉଭୟ ମିଶ୍ର ଓ ସିଂଦେଓ ପରିବାର ଉଭୟ ସାଂସଦ ଓ ବିଧାୟକ ପଦ ପାଇଁ ନିଜସ୍ୱ ଦାୟାଦ ପ୍ରସ୍ତୁତ କରି ବଲାଙ୍ଗିର ଗାଦି ଉପରେ କବଜା କରିବାରେ ଲାଗି ପଡିଛନ୍ତି । କିନ୍ତୁ ଗୋଟିଏ ପରିବାରର ଉଭୟ ସଭ୍ୟଙ୍କୁ କୌଣସି ଗୋଟିଏ ଦଳ ଟିକଟ ଦେବା ଓ ସେହି ଟିକଟ ସେମାନଙ୍କ ବଜୟୀ କରାଇବା ଆଶା କ୍ଷୀଣ । ତେଣୁ ଅଂଚଳର ସମିକରଣ ହିସାବରେ କେଉଁ ଦଳ କାହାକୁ ଟିକଟ ଦେବ ଓ କେଉଁ ଦଳର ଟିକଟ ପ୍ରାର୍ଥୀଙ୍କ ପାଇଁ ବିଜୟ ସୁଚକ ହେବ ସେ ନେଇ ଛକାପଞ୍ଜା ଲାଗି ରହିଛି । ତେବେ ବଲାଙ୍ଗିର ବାସୀ ଓ ପାୱାର କରିଡର କାହାକୁ ଗ୍ରୀନ ସିଗନାଲ ଦବେ ତାହା ଦେଖିବାକୁ ରହିଲା ।

ମୋ. ନଂ.- ୯୪୩୯୦୩୦୦୦୫

Leave A Reply

Your email address will not be published.

14 + 16 =