pakka

ସାର ଗୋଦାମରେ ଚଢ଼ାଉ, ବିପୁଳ ପରିମାଣରେ ୟୁରିଆ ସାର ଜବତ

bbehera

ଖଡ଼ିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ସାର କଳାବଜାରୀ । ଖଡ଼ିଆଳରେ ଥିବା ଏକ ସାର ଗୋଦାମ ଉପରେ ଚଢ଼ାଉ କରି ବିପୁଳ ପରିମାଣର ୟୁରିଆ ସାର ଜବତ କରିଛି ଜିଲ୍ଲା ପ୍ରଶାସନ । ୪ଟି ସାର ବୋଝେଇ ଟ୍ରକ ଗୋଦାମରେ ରଖାଯାଉଥିବା ବେଳେ ହଠାତ୍‌ ଚଢାଉ କରିଥିଲେ ଅଧିକାରୀ । ଏହି ଘଟଣାରେ ୨୨୨୦ ପ୍ୟାକେଟ ୟୁରିଆ ସାର ଜବତ କରିବା ସହ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ, ୪ଟି ଭାରତ ୟୁରିଆ ସାର ବୋଝେଇ ଟ୍ରକ ଖରିଆରରୋଡ଼ଠାରୁ ଆସି ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମର କୁନ୍ଦନ ମେହେରଙ୍କ ଗୋଦାମ ଘରେ ରଖାଯାଉଥିଲା । ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅତର୍କିତ ଚଢ଼ାଉ କରିଥିଲା । ଏହି ସମୟରେ ୪ ଗୋଟି ଟ୍ରକରେ ବୋଝେଇ ହୋଇଥିବା ଭାରତ ୟୁରିଆ ସାର ଏବଂ ଗୋଦାମ ଘରେ ଥିବା ୧୬୬୫ ପ୍ୟାକେଟ ୟୁରିଆ ସାର ସମୁଦାୟ ୨୨୨୦ ପ୍ୟାକେଟ ବେଆଇନ ଭାରତ ୟୁରିଆ ସାର ଜବତ ହୋଇଛି । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ କରି ଟ୍ରକ ଗୁଡ଼ିକୁ ପୋଲିସ ନିଜ ଅଧିନକୁ ନେଇଛି । ଏହି ଚଢାଉରେ ନୂଆପଡା ଉପଜିଲ୍ଲାପାଳ, ଖଡ଼ିଆଳ ତହସିଲଦାର, କୃଷି ଉପନିର୍ଦ୍ଦେଶକ, ଖଡ଼ିଆଳ ପୋଲିସ, ଫର୍ଟିଲାଇଜର ଅଫିସର ସାମିଲ ହୋଇଥିଲେ । ତଲବ ବେଳେ ଗୋଦାମ ମାଲିକ କୁନ୍ଦନ ମେହେର ଭାରତ ସାରର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ବେଆଇନ ଗଚ୍ଛିତ ୟୁରିଆ ସାର ଜଳାବଜାରୀ ହେଉଥିବା ଅଭିଯୋଗରେ ୨୨୨୦ ପ୍ୟାକେଟ ସାରକୁ ଜବତ କରି ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି ତଦନ୍ତ ଅଧିକାରୀ । ସେପଟେ ଘଟଣାର ଅଧିକ ତଦନ୍ତ କରାଯାଇ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଉପନିର୍ଦ୍ଦେଶକ ହିମାଂଶୁ ଶେଖର ମହାପାତ୍ର ଏବଂ ଖଡ଼ିଆଳ ତହସିଲଦାର ଲଳିତ ବାଗ କହିଛନ୍ତି ।

Leave A Reply

Your email address will not be published.

14 − 9 =