କଂଟାବାଞ୍ଜିରେ ଜବର ଦଖଲ ଉଚ୍ଛେଦ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ରୁପଲ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ଜବର ଦଖଲ ଉଚ୍ଛେଦ କାରାଯାଇ ପାରିବ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟର ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ କରିଥିଲେ । କିନ୍ତୁ ଏହା ସତ୍ୱେ ଗତ ଅଗଷ୍ଟ ମାସ ୧୪ ତାରିଖରେ କଣ୍ଟାବାଞ୍ଜିରେ ଖୁଲମଖୁଲ୍ଲା ଜବର ଦଖଲ ଉଚ୍ଛେଦ ହୋଇଥିଲା ।

ଏହି ଉଚ୍ଛେଦରେ କଣ୍ଟାବାଞ୍ଜି ପ୍ରଶାସନ ବେଆଇନ ଭାବେ ରୁପଲଙ୍କ ଦଖଲରେ ଥିବା ଘର ଓ ଜୀବିକାର ଏକ ମାତ୍ର ମାଧ୍ୟମ ତାଙ୍କର ତେଜରାତି ଦୋକାନକୁ ଭାଙ୍ଗି ଚୁରମାର କରିଦେଇଛି, ଯାହା ସଂପୁର୍ଣ୍ଣ ଭାବେ ବେଆଇନ ଓ ଅଦାଲତର ଅବମାନନା ବୋଲି ରୁପଲ କହିବା ସହ ଆକ୍ରୋଶମୂଳକ ଭାବେ ତାଙ୍କ ଘର ଓ ଦୋକାନ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଅନ୍ୟାୟ ବିରୁଦ୍ଧରେ ରୁପଲ ଓ ତାଙ୍କ ପରିବାର ବାରମ୍ବାର କଣ୍ଟାବାଞ୍ଜି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ଶେଷରେ ନ୍ୟାୟ ପାଇଁ ଦିବ୍ୟାଙ୍ଗ ରୁପଲ୍‌ ଓ ତାଙ୍କ ପରିବାର ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତୀୟ ଏକ ଦାବୀପତ୍ର ଦେବା ସହ ସଂମ୍ପୂର୍ଣ୍ଣ ବିଷୟ ଖୋଲାଖୋଲି କହିଛନ୍ତି । ତେବେ ଉଭୟ ପକ୍ଷକୁ ଶୁଣିବା ପରେ ଜିଲ୍ଲାପାଳ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


ସୁଚନାଯୋଗ୍ୟ ଯେ, କଣ୍ଟାବାଞ୍ଜି-ତୁରକେଲା ରାସ୍ତା ପିଏଚଡି ଅଫିସ ପାଖରେ ରୁପଲଙ୍କ ପିତା ସୁରଜିତ୍‌ ସିଂ ମାଖିଜା ବହୁ ବର୍ଷ ହେଲା ରହି ଆସୁଥିଲେ । କଣ୍ଟାବାଞ୍ଜି(କ) ପ୍ଲଟ ନଂ.୭ ର ଏହି ଜମିଟି ଜବର ଦଖଲ ସଂଖ୍ୟା ୦୧/୨୦୧୩ ଅନୁସାରେ ତାଙ୍କ ଦଖଲରେ ଥିଲା । ସେ ଏହି ଜମି ବାବଦରେ ଅତିରିକ୍ତ ସିଭିଲ ଜଜ୍‌, କଣ୍ଟାବାଞ୍ଜିଙ୍କ ପାଖରେ ଏକ ମାମଲା ଦର୍ଜ କରିଥିଲେ । ତେବେ ସେଠାରେ ଏହି ମାମଲାକୁ କୋର୍ଟ ଖାରିଜ କଲା ପରେ ପୁଣି ୨୦୧୮ ମସିହାରେ ସେ ଏହି ମାମଲାକୁ ମାନ୍ୟବର ହାଇକୋର୍ଟଙ୍କ ପାଖରେ ଦର୍ଜ କରିଥିଲେ । ଏହା ପରେ ପରେ ହାଇକୋର୍ଟର ଏକ ଖଣ୍ଡପୀଠ କରୋନା ସମୟରେ ଜନସ୍ୱାର୍ଥ ଉଦ୍ଦେଶ୍ୟରେ ଅଗଷ୍ଟ ୩୧ ସୁଦ୍ଧା ସାରା ରାଜ୍ୟରେ କୌଣସି ଜବର ଦଖଲ ଉଚ୍ଛେଦ ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ କରିଥିଲେ ।

କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ କଣ୍ଟାବାଞ୍ଜି ପ୍ରଶାସନ ଏହାର ଅବମାନନା ପୂର୍ବକ ତାଙ୍କର ବହୁ କଷ୍ଟ ଅର୍ଜିତ ଘର ଓ ଦୋକାନକୁ ଭାଙ୍ଗି ଚୁରମାର କରି ଦେଇଥିଲେ । ଆଜି ମାଖିଜା ପରିବାର ନିରାଶ୍ରୟ ଅବସ୍ଥାରେ ଥିବାବେଳେ ଉପାର୍ଜନର ଏକ ମାତ୍ର ମାଧ୍ୟମ ତାଙ୍କର ତେଜରାତି ଦୋକାନ ମଧ୍ୟ ହରାଇ ବସିଛନ୍ତି । ତେବେ ଏଭଳି କରୋନା ମହାମାରୀ ସମୟରେ ସେମାନେ ରହିବେ କିପରି ଓ ଖାଇବେ କ’ଣ ବୋଲି ସୁରଜିତ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ସେହିପରି ସରକାରଙ୍କ ଦିବ୍ୟାଙ୍ଗ ଝିଅକୁ ସମ୍ମାନ ଓ ହାତକୁ କାମ ଦେବାର ଏହା କି ପ୍ରକାର ନ୍ୟାୟ ବୋଲି ଦିବ୍ୟାଙ୍ଗ ରୁପଲ କହିଛନ୍ତି ।

Leave A Reply

Your email address will not be published.