pakka

ଜାନୁଆରୀ ୩ ତାରିଖ ଜିଲ୍ଲାକୁ ପହଂଚିବ ୨୦୨୩ ହକି ବିଶ୍ୱକପ ଟ୍ରଫି

bbehera
  • ଉଚ୍ଛ୍ୱସିତ ସ୍ୱାଗତ ନିମନ୍ତେ ଜିଲ୍ଲା ପ୍ରଶାସନର ବିଭିନ୍ନ ସଂଗଠନ ସହିତ ବୈଠକ ଆଲୋଚନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଥିବା ୨୦୨୩ ହକି ବିଶ୍ୱକପ ଟ୍ରଫି ଜାନୁଆରୀ ୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାକୁ ପହଞ୍ଚିବ । ଉକ୍ତ ହକି ବିଶ୍ୱକପ ଟ୍ରଫିକୁ ଯେପରି ଉଚ୍ଛ୍ୱସିତ ସ୍ୱାଗତ କରି ଜିଲ୍ଲାରେ ହକି ଖେଳର ପରିପୃଷ୍ଟତାକୁ ଜୀବନ୍ତ ତଥା ଜନାଦୃତ କରିପାରିବା ସେଥି ନିମନ୍ତେ ସମସ୍ତ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ବର୍ଗ ଆନ୍ତରିକ ଭାବେ ନିଜକୁ ଏହି ମହାକୁମ୍ଭରେ ସାମିଲ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆହ୍ୱାନ କରିଛନ୍ତି । ପୁନଶ୍ଚ ଏହା ରାଜ୍ୟର ଗର୍ବ ଓ ଗୌରବକୁ ବହନ କରୁଥିବା ବେଳେ ଆମ ଜିଲ୍ଲା ମଧ୍ୟ ଗର୍ବିତ ବୋଲି କହିଛନ୍ତି । ଏହି ହକି ବିଶ୍ୱକପ ଟ୍ରଫି ରଥ ବୌଦ୍ଧ ଜିଲ୍ଲାରୁ ଆସି ସୁବର୍ଣ୍ଣପୁର ସହର ଉପକଣ୍ଠ ତେଲ ନଦୀ ପୋଲ ଠାରେ ପହଞ୍ଚିବ, ସେହିଠାରେ ପ୍ରଶାସନ ତଥା ଜନସାଧାରଣଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇ ସୋନପୁର ସହର କୁଞ୍ଜ ଛକ, ନଳିନୀ ଛକ, ବିଜୁ ପଟ୍ଟନାୟକ ଛକ, କଚେରୀ ଛକ, ଆମ୍ବେଦକର ଛକ, ବ୍ଲକ ଛକ ଓ ବୁଢାରଜା ଛକ ଦେଇ ମହାନଦୀ ବ୍ରିଜ ଅତିକ୍ରମ କରିବ । ଟ୍ରଫି ରଥକୁ ବିଶେଷ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟେକ ଛକରେ ସ୍ୱାଗତ କରାଯିବା ସହ ସମସ୍ତ ଜନସାଧାରଣ ଓ ପ୍ରଶାସନର ମିଳିତ ସହଯୋଗରେ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରାଯିବ । ଏହି ହକି ବିଶ୍ୱକପ ଟ୍ରଫି ଜାନୁଆରୀ ୩ ତାରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲ୍ଲା ସୀମାନ୍ତ ତେଲ ନଦୀ ବ୍ରିଜ ପାଖରେ ପହଂଚିବାର ସୂଚନା ରହିଛି । ଉକ୍ତ ଦିନ ସମ୍ପୃକ୍ତ ସମସ୍ତ ଜନସାଧାରଣ ସହ ସହର ସ୍ଥିତ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରଶାସନିକ କାର୍ଯ୍ୟକର୍ତ୍ତା ପ୍ରମୁଖ ସ୍ଥାନୀୟ ହସ୍ତ ତନ୍ତ ବସ୍ତ୍ର ପରିଧାନ କରି ଏହି ସ୍ୱାଗତ ଉତ୍ସବକୁ ଆହୁରି ରଙ୍ଗାୟିତ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ବୈଠକର ଆଭିମୁଖ୍ୟ ତଥା ତାତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏହି ମହତ ତଥା ବିଶେଷ କାର୍ଯ୍ୟକ୍ରମରେ ସମସ୍ତଙ୍କ ଆନ୍ତରିକ ସହଯୋଗ ଉପରେ ଗୁରୁତ୍ୱାରୋପ କରି ଜାତୀୟ ଖେଳ ହକିକୁ ସବୁ ବର୍ଗରେ ଆଦୃତ କରିବାକୁ ଆହ୍ୱାନ କରିଛନ୍ତି । ଅଦ୍ୟ ଅନୁଷ୍ଠିତ ବୈଠକରେ ସହରର ବିଭିନ୍ନ ସଂଗଠନ କର୍ମକର୍ତ୍ତା, ସହ ସାଂସ୍କୃତିକ ସଂଗଠନ, କ୍ରୀଡା ସଂଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ନିଜର ମତବ୍ୟକ୍ତ କରିଥିଲେ ।

jay balangir
Leave A Reply

Your email address will not be published.

thirteen − eleven =