
କଳାହାଣ୍ଡି, (କେପିଏନ୍ଏସ୍) : ବାପାଙ୍କ କାଠ ଫାଳିଆ ମାଡ଼ରେ ଚାଲିଗଲା ପୁଅର ଜୀବନ । ଏଭଳି ଏକ ହୃଦୟ ବିଦାରକ ଅଭିଯୋଗ ଅଂଚଳବାସୀଙ୍କୁ ସ୍ତବ୍ଧ କରିଛି । ଅଭିଯୋଗ ଅନୁଯାୟୀ, କଲମପୁର ଥାନା ଅନ୍ତର୍ଗତ ନୁଆଁଗୁଡା ଗ୍ରାମର ମାନସିଂ ଗହୀର ତାଙ୍କ ପୁଅ ଆଲୋକ ଗହୀରଙ୍କୁ ବୁଧବାର ରାତିରେ ଟଙ୍କା ମାଗିଥିଲେ । ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି ସମୟରେ ମାନସିଂ ଉତ୍ୟକ୍ତ ହୋଇ ଏକ କାଠ ଫଳିଆରେ ତାଙ୍କ ପୁଅ ଆଲୋକଙ୍କ ମୁଣ୍ଡରେ ଆଘାତ କରିଥିବା ଅଭିଯୋଗ ହୋଇଛି । ଆହତ ଆଲୋକଙ୍କୁ ପରିବାରବର୍ଗ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥଲେ ଏବଂ ପୁଲିସକୁ ଜଣାଇଥିଲେ । କଲମପୁର ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । କଲମପୁର ଥାନାରେ ଏ ସମ୍ପର୍କରେ ଏକ ମାମଲା ୧୧୪/୨୬ ରୁଜ୍ଜୁ କରି ବିଏନଏସ ୧୦୩(୧)ରେ ଅଭିଯୁକ୍ତ ମାନସିଂ ଗହୀରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇଆଇସି ସୁନିଲୋ କନ୍ଦାଗୋରି ନିଜେ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛନ୍ତି ।