
କୋଇଡା : ସାମାନ୍ୟ ବଚସାକୁ ନେଇ ଭାଇକୁ ହତ୍ୟା କଲା ଭାଇ । ସୁନ୍ଦରଗଡ ଜିଲ୍ଲା କୋଇଡ଼ାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମିଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାଇର ଠେଙ୍ଗା ମାଡ଼ରେ ସମ୍ପର୍କୀୟ ଭାଇର ଜୀବନ ଚାଲିଯାଇଛି । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ ମୁଣ୍ଡାସାହିର ରୋଇ ମୁଣ୍ଡା ଓ ସାଧୁ ମୁଣ୍ଡା ଗତକାଲି ସନ୍ଧ୍ୟାରେ ମିଶି ଖାଇବାପିଇବା ପରେ ଆରମ୍ଭ ହୋଇଥଲା ପୂର୍ବ ଶତ୍ରୁତା କଥା । ଏଥିରେ ଉତ୍ତ୍ୟକ୍ତ ହୋଇ ରୋଇ ମୁଣ୍ଡା ଠେଙ୍ଗାରେ ସାଧୁ ମୁଣ୍ଡାକୁ ଆକ୍ରମଣ କରିଥିଲା । ଆଉ ଠେଙ୍ଗାମାଡ଼ରେ ସାଧୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ରୋଇ ମୁଣ୍ଡାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି ।