
ବଲାଙ୍ଙ୍ଗିର, (କେପିଏନ୍ଏସ୍) : ସ୍କୁଲରୁ ଫେରୁଥିବା ବେଳେ ପୋଲିସ ଗାଡ଼ି ଧକ୍କାରେ କୁନିକୁନି ଛାତ୍ରଛାତ୍ରୀ ଗୁରୁତର । ବଲାଙ୍ଗିର ସହରରେ ଘଟିଛି ଏଭଳି ଘଟଣା । ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ଗତକାଲି ଶ୍ରୀ ଅରବିନ୍ଦ ସ୍କୁଲରୁ ନିଜ ଦୁଇ ପୁଅ ଓ ଜଣେ ଝିଅଙ୍କୁ ସ୍କୁଟିରେ ନେଇ ଘରକୁ ଫେରୁଥିଲେ ନନ୍ଦିନୀ ନଗରର ଶ୍ରୀକାନ୍ତ କୁମ୍ଭାର । ଟାଉନ ବାଳିକା ବିଦ୍ୟାଳୟ ସମ୍ମୁଖରେ ଏକ ପୋଲିସ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଶ୍ରୀକାନ୍ତଙ୍କ ସମେତ ତିନି ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଭିଯୋଗ ଅନୁସାରେ, ଧକ୍କା ଦେଇଥିବା ଗାଡ଼ି ଘଟଣାସ୍ଥଳରୁ ଚାଲିଯାଇଥିଲା । ଗାଡ଼ିଟି କେଉଁ ଥାନାର ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନ୍ୟାୟ ଦାବିରେ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି ।