
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁଣ୍ଡପଲା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷରେ ଆଜି ପ୍ରଶାସନ ହସ୍ତକ୍ଷେପ କରିଛି । ତେବେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଉକ୍ତ କେନ୍ଦ୍ରର ତାଲା ଖୋଲାଯାଇ ସେବା ସ୍ୱାଭାବିକ କରାଯାଇଛି । ନିକଟରେ ହୋଇଥିବା ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ବିରୋଧ କରି ଗତ ୨୧ ସେପ୍ଟେମ୍ବରରେ ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ । ଫଳରେ ସରକାରୀ ସେବା ପ୍ରଭାବିତ ହୋଇଥିଲା । ସମସ୍ୟାର ସମାଧାନ ପାଇଁ ୨୨ ସେପ୍ଟେମ୍ବରରେ ଦେଓଗାଁ ବିଡିଓ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଏବଂ ପୋଲିସ ଅଧିକାରୀ ମୁଣ୍ଡପଲା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତେବେ ଗ୍ରାମବାସୀ କେନ୍ଦ୍ରର ତାଲା ଖୋଲିବାକୁ ରାଜି ହୋଇନଥିଲେ । ଏନେଇ ସିଡିପିଓ ଉପଜିଲ୍ଲାପାଳ, ବଲାଙ୍ଗିରଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଦେଓଗାଁ ବିଡିଓ, ତହସିଲଦାର, ବଲାଙ୍ଗିର ଏସ୍ଡିପିଓ, ତୁଷୁରା ଥାନା ପ୍ରଭାରୀ, ଏବିଡିଓ, ସିଡିପିଓ, ମୁଣ୍ଡପଲା ସରପଞ୍ଚଙ୍କ ସମେତ ପୋଲିସ ବଳ ଗ୍ରାମରେ ପହଞ୍ଚିଥିଲେ । ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ଉପସ୍ଥିତିରେ କେନ୍ଦ୍ରର ତାଲା ଖୋଲିବା ପାଇଁ ଅନୁରୋଧ କରିଥିଲେ । ତେବେ ଗ୍ରାମବାସୀ ଏଥିରେ ସହଯୋଗ କରିନଥିଲେ । ପରିଶେଷରେ ସରପଞ୍ଚ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନିୟମାନୁଯାୟୀ କେନ୍ଦ୍ରର ତାଲା ଭଙ୍ଗାଯାଇଥିଲା । ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱରେ ହସ୍ତାନ୍ତର କରାଯାଇ ସେବା ପୁନଃ ସ୍ୱାଭାବିକ କରାଯାଇଛି । ଶିଶୁ ଓ ମାତୃ ମଙ୍ଗଳ ପାଇଁ ନିର୍ଦ୍ଦିଷ୍ଟ ସରକାରୀ ସେବାରେ ବାଧାସୃଷ୍ଟି ନକରିବାକୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି ।