jayashree

ପାଇକମାଲରେ ଆୟୁର୍ବେଦ ଆହାର ମେଳା ଓ ସ୍ୱାସ୍ଥ୍ୟ ପ୍ରଦର୍ଶନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଅବସରରେ ପାଇକମାଲ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ପରିସରରେ ଆୟୁର୍ବେଦ ଆହାର ମେଳା ଓ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ବରଗଡ଼ ଉପଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଉଦଘାଟନ କରିଥିଲେ । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପ୍ରଫେସର ଡ. ସୁଶୀଳ କୁମାର ମହାପାତ୍ର, ସମ୍ପାଦକ ମନୋଜ କୁମାର ତ୍ରିବେଦୀ ଏବଂ ଅଧ୍ୟକ୍ଷ ପ୍ରଫେସର ଡ. ଜଗବନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆୟୁର୍ବେଦ ଆଧାରିତ ଜୀବନଶୈଳୀ ଆପଣାଇବା ପାଇଁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ମେଳାରେ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଆୟୁର୍ବେଦିକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଫାଷ୍ଟଫୁଡ୍‌ରୁ ଦୂରେଇ ସ୍ୱାସ୍ଥ୍ୟକର ଓ ପ୍ରାକୃତିକ ଖାଦ୍ୟକୁ ଆପଣାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିସହ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତାମୂଳକ ପ୍ରଦର୍ଶନୀ, ନାଡ଼ି ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା ଏବଂ ଔଷଧୀୟ ବୃକ୍ଷର ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ।ଶେଷରେ ଉପାଧ୍ୟକ୍ଷ ପ୍ରଫେସର ଡ. ଅଭିରାମ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.