csstore

କାନ୍ଥ ଭୁଶୁଡ଼ି ସ୍ୱାମୀଙ୍କ ମୃତ୍ୟୁ : ସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ବଲାଙ୍ଗିର ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏହି ବର୍ଷା ମଧ୍ୟରେ ଘଟିଛି ଏକ ଦୁଃଖଦ ଘଟଣା। ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ଲୁହୁରେନପାଲି ଗାଁରେ। ସୂଚନା ଅନୁଯାୟୀ, ୬୫ ବର୍ଷୀୟ ଗଣ୍ଡାରାମ କୁମ୍ଭାର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଗତକାଲି ରାତିରେ ନିଜ ଝାଟିମାଟି ଘରେ ଶୋଇଥିଲେ। ରାତି ସାରା ଲାଗି ରହିଥିବା ପ୍ରବଳ ବର୍ଷାରେ ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ଘର ଭିତରେ ଚାପି ହୋଇଯାଇଥିଲେ। ଆଜି ସକାଳେ ପଡ଼ୋଶୀମାନେ ଘଟଣା ଜାଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଅବସ୍ଥାରେ ଲକ୍ଷ୍ମୀ କୁମ୍ଭାରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିବାବେଳେ, ଗଣ୍ଡାରାମ କୁମ୍ଭାରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଇଁନ୍ତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଲଗାଣ ବର୍ଷା ଯୋଗୁଁ କଚ୍ଚା ଘରରେ ବସବାସ କରୁଥିବା ଗରିବ ପରିବାରମାନଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

jayashree
Leave A Reply

Your email address will not be published.