om academy

ଅନ୍ତର୍ଲା ଗ୍ରାମ ନିକଟରେ ବିଦ୍ୟୁତ୍‌ ବିଭାଗ ବୋଲେରୋ ଧକ୍କାରେ ବାଇକ୍ ଦୁର୍ଘଟଣା : ଗୁରୁତର ୩ ବାଇକ୍‌ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲରୁ ଟିକ୍ରାପଡା ରାସ୍ତାର ଅନ୍ତର୍ଲା ଗ୍ରାମ ଶେଷ ମୁଣ୍ଡରେ ସୋମବାର ବିଦ୍ୟୁତ୍‌ ବିଭାଗର ଏକ ବୋଲେରୋ ଓଭର୍‌ଟେକ୍ କରି ଏକ ବାଇକ୍‌କୁ ଧକ୍କା ଦେବାରୁ ବାଇକ୍‌ରେ ଥିବା ୩ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର କୁଳମଣି ଛୁରା(୬୦)ଙ୍କ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବୁଧବାର ସକାଳ ୫ଟା ସମୟରେ ପରଲୋକ ହୋଇଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ପାଟଣାଗଡ ବିଦ୍ୟୁତ୍ ବିଭାଗରେ ନିୟୋଜିତ ଏକ ବୋଲେରୋ ଓଡ଼ି ୦୩ ଇ ୫୨୨୨ ଅନ୍ତର୍ଲା ପେଟ୍ରୋଲ ପମ୍ପକୁ ଆସି ଫେରୁଥିବା ବେଳେ ସେହି ରାସ୍ତାରେ ଯାଉଥିବା ବାଇକ୍ ଓଡ଼ି ୦୩ ଜେଡ୍‌ ୯୯୮୦କୁ ଓଭରଟେକ୍ କରି ପଛପଟୁ ଧକ୍କା ଦେଇଥିଲା । ବାଇକ୍‌ରେ କଣ୍ଟାବାଞ୍ଜି ଥାନା ସର୍ଗୁଲ ଗ୍ରାମର ତିନିଜଣ ବ୍ୟକ୍ତି ବଲାଙ୍ଗିର ଜେଲକୁ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବା ବେଳେ ଘଟଣାସ୍ଥଳରେ ସଂପୃକ୍ତ ବୋଲେରୋ ଧକ୍କା ଦେଇଥିଲା । ଫଳରେ ତିନି ବାଇକ୍ ଆରୋହୀ ରାସ୍ତାର ଗୋଟିଏ ପାଶ୍ୱର୍କୁ ଛିଟିକି ପଡ଼ି ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଥିଲେ । ବାଇକ୍‌ ଆରୋହୀ ସର୍ଗୁଲ ଗ୍ରାମର ବୁଦ୍ଧିସାଗର ବାଉକ(୪୫), ଭଜମନ ବାଉକ(୫୫) ଓ କୁଳମଣି ଛୁରା(୬୦)ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ । ବାଇକ୍‌କୁ ଧକ୍କା ଦେବା ପରେ ବିଦ୍ୟୁତ୍‌ ବିଭାଗ ବୋଲେରୋର ଡ୍ରାଇଭର୍‌ ସମେତ ଅନ୍ୟାନ୍ୟ ଅଧିକାରୀ ସାମାନ୍ୟ ମାନବିକତା ଭୁଲି ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌କୁ ପଠାଇଥିଲେ । ଗୁରୁତର ବୁଦ୍ଧିସାଗରଙ୍କ ମୁହଁରେ ଗୁରୁତର ଆଘାତ ଲାଗି ମୁହଁ ରକ୍ତାକ୍ତ ହୋଇପଡ଼ି ଥିବା ବେଳେ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ଅତ୍ୟନ୍ତ ଗୁରୁତର ବୁଦ୍ଧିସାଗର ଓ ଭଜମନ ଏବେ ଭବାନୀପାଟଣା ମେଡ଼ିକାଲ୍‌ରେ ଜୀବନମରଣ ସହ ସଂଘର୍ଷ କରୁଥିବା ଜଣାପଡିଛି । ଅନ୍ୟ ଗୁରୁତର କୁଳମଣିଙ୍କୁ ବଲାଙ୍ଗିରରୁ ରାୟପୁର ସ୍ଥାନାନ୍ତର କରି ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୁର୍ଘଟଣାରେ ବୋଲେରୋର ମଧ୍ୟ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । ମୁରିବାହାଲ ଥାନା ପୁଲିସ ଏସ୍‌ଆଇ ଦନାର୍ଦମ ଓରାମ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲେ । ବିଦ୍ୟୁତ୍ ବିଭାଗ ପକ୍ଷରୁ ମୃତ ଓ ଗୁରୁତର ପରିବାରମାନଙ୍କୁ ତୁରନ୍ତ ଚିକିତ୍ସା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସର୍ଗୁଲ ଗ୍ରାମବାସୀ ଦାବୀ କରିଛନ୍ତି । ମୁରିବାହାଲରେ ଥିବା ସମ୍ପର୍କୀୟ କାହ୍ନା ବାଉକଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୧୭୫/୨୪ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ କୁଳମଣିଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ ହୋଇ ଅଧିକ ତଦନ୍ତ କରାଯିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.