jayashree

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଙ୍ଘିଯୁବାଠାରେ ଗତକାଲି ରାତି ପ୍ରାୟ ୧୧ଟାରୁ ୧୧.୩୦ ଭିତରେ ଫୁଟିଛି ଗୁଳି । ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ବାସଭବନ ଉପରକୁ ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଛନ୍ତି ଦୁର୍ବୃତ୍ତ । ଶ୍ରୀମତୀ ନନ୍ଦଙ୍କ ସ୍ଵାମୀ ଅଶୋକ ନନ୍ଦ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଯୁବ ସଭାପତି ଅଛନ୍ତି । ଶ୍ରୀ ନନ୍ଦଙ୍କ ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ପ୍ରଥମେ ଆସି ଗେଟ୍‌କୁ ବାଡ଼େଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ପରେ ଗୁଳିମାଡ଼ କରିଥିଲେ । ଏହି ଗୁଳିମାଡ଼ରେ ଘରେ ଥିବା କୌଣସି ଲୋକଙ୍କ ଦେହରେ ଗୁଳି ବାଜି ନ ଥିବା ବେଳେ ଘର ଭିତରେ ଓ ବାହାରେ ଥିବା ଦୁଇଟି କାରର କିଛି ସ୍ଥାନରେ ଗୁଳି ବାଜିଥିବା ଦେଖାଯାଇଛି । ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳିମାଡ଼ କରିବା ପରେ କାରରେ ଆସିଥିବା ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଅଶୋକ ନନ୍ଦ ପୋଲିସରେ ଖବର ଦେବାପରେ ତୁରନ୍ତ ଘଟଣା ସ୍ଥଳକୁ ଖୋଦ୍‌ ଏସ୍‌ପି ନାରାୟଣ ନାୟକ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୋଲିସ ମୁତୟନ କରିଥିଲେ । ପୋଲିସ ତାଙ୍କ ଘରେ ଲାଗିଥିବା ସିସିଟିଭି ସହିତ ଆଖପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଥିବା ବେଳେ ଶ୍ରୀ ନନ୍ଦଙ୍କ କାହାରି ସହିତ ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତା ନ ଥିବା ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି ରାଜ୍ୟ ବିଜେଡ଼ି ସମ୍ପାଦକ ତଥା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ଆଜି ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଥିବା ଜଣାପଡିଛି । ଦୁର୍ବୃତ୍ତଙ୍କୁ ନିଶ୍ଚୟ ଧରାଯିବ ବୋଲି ଏସ୍‌ପି ଶ୍ରୀ ନାୟକ କହିଥିବା ବେଳେ ଶ୍ରୀ ନନ୍ଦ ମଧ୍ୟ ପୋଲିସ ଉପରେ ତାଙ୍କର ସଂପୂର୍ଣ୍ଣ ବିଶ୍ୱାସ ଥିବା କହିଛନ୍ତି ଏଵଂ ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.