ଚାଷୀଙ୍କ ନାଁରେ ୧ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ : ଥାନାରେ ଅଭିଯୋଗ କଲେ ଚାଷୀ ରବୀନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଜିଏସଟି ଠକେଇ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଚାଷୀଙ୍କ ନାଁରେ ଜାଲ କମ୍ପାନୀ ଖୋଲା ଯାଇ ୧ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି । ଜିଏସଟି ବିଭାଗ ଏ ନେଇ ସୂଚନା ପାଇବା ପରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟମାଲ ଗ୍ରାମର ଚାଷୀ ରୋହିତ ଭୋଇଙ୍କ ପୁଅ ରବୀନ୍ଦ୍ରଙ୍କୁ ଭେଟି ଜେରା କରିଥିଲେ । ଅଧିକାରୀମାନଙ୍କ ଠାରୁ ସମସ୍ତ ବିଷୟ ଶୁଣି ରବୀନ୍ଦ୍ର ପ୍ରଥମେ ଆଚମ୍ବିତ ହେବା ସହ ସେ କୌଣସି କମ୍ପାନୀ ଖୋଲି ନାହାନ୍ତି କିମ୍ବା ଜିଏସଟି କରବାର କରିନାହାନ୍ତି ବୋଲି କହିଥିଲେ ।ରବୀନ୍ଦ୍ରଙ୍କ ପରିବାର ସ୍ଥିତି ଦେଖି ଅଧିକାରୀମାନେ ଫେରି ଆସିଥିବା ଜଣାଯାଇଛି ।

ଅପର ପକ୍ଷେ ନିଜ ଅଜଣାତରେ କୋଟି କୋଟି ଟଙ୍କାର ଆର୍ଥିକ ଦେଣନେଣ ହୋଇଥିବା ଜାଣିବା ପରେ ରବୀନ୍ଦ୍ର ସଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସୂଚନା ମତେ ରବୀନ୍ଦ୍ର ଘଣ୍ଟମାଲ ଗ୍ରାମରେ ନିଜ ବାପାଙ୍କ ସହିତ ରୁହନ୍ତି ଏବଂ ତାଙ୍କୁ ଚାଷ କାର୍ୟ୍ୟରେ ସହାୟତା କରିଥାଆନ୍ତି । ତାଙ୍କର ପ୍ରାୟ ସାଢ଼େ ୩ ଏକର ଜମି ରହିଛି । ଗତକାଲି ଅପରାହ୍ନରେ ୩ ଜଣ ବ୍ୟକ୍ତି ବଲାଙ୍ଗିରର ଜିଏସଟି ବିଭାଗରୁ ଆସିଛୁ କହି ତାଙ୍କ ଘରେ ପହଞ୍ଚି ଥିଲେ । ପରେ ରବୀନ୍ଦ୍ରଙ୍କୁ କିଛି କାଗଜ ପତ୍ର ଦେଖାଇ ୩ ମାସ ଭିତରେ ତୁମର କମ୍ପାନୀ ‘ସିନ୍ଧୁଜା ଷ୍ଟିଲ’ ନାଁରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିଏସଟି କରବାର କରିଛ ବୋଲି ପଚରା ଉଚୁରା କରିଥିଲେ ।ହେଲେ କମ୍ପାନୀ ଏବଂ କୋଟି କୋଟି ଟଙ୍କାର ଦେଣନେଣ ସମ୍ପର୍କରେ ଶୁଣିବା ପରେ ରବୀନ୍ଦ୍ର ଏହାକୁ ବାରଣ କରିଥିଲେ । ସେ ଜଣେ ଚାଷୀ ପୁଅ ତାଙ୍କର କୋଣସି ନାହିଁ କିମ୍ବା ସେ ଜିଏସଟି ଜମା ଉଠାଣ ସମ୍ପର୍କରେ କିଛି ବି ଜାଣି ନାହାନ୍ତି ବୋଲି କହିଥିଲେ । ଏହାପରେ ବିଭାଗୀୟ ଅଧିକାରୀମାନେ ରବୀନ୍ଦ୍ରଙ୍କୁ ତାଙ୍କ ଜମି ପ୍ରମାଣ ପତ୍ର, ଜମି ଖତିୟାନ ଭଳି ଅନେକ ପ୍ରମାଣ ପତ୍ର ଲାଗିଥିବାର ନକଲ ଦେଖାଇବା ପରେ ତାଙ୍କ ସହ ଠକେଇ ହୋଇଥିବା କହିଥିଲେ । କାରଣ ଗତ ମଇ ମାସରେ ତାଙ୍କ ଗାଁର ମହେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଚାଷ ପାଇଁ ଋଣ କରେଇ ଦେବାକୁ ତାଙ୍କର ସମସ୍ତ ପ୍ରମାଣପତ୍ର ମାଗି ନେଇଥିଲେ ବୋଲି ସେ କହିଥିଲେ ।ଶେଷରେ କୈ।ଣସି ଉପାୟ ନ ପାଇ ରବୀନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ କମ୍ପାନୀର ନାଁରେ ଜିଏସଟି ଆକାଉଣ୍ଟ ଖୋଲିବାକୁ ୭୬୮୨୦୫୨୦୯୨ ନମ୍ବରକୁ ବ୍ୟବହାର କରାଯାଇଛି । ତେବେ ଏହାର ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.