ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କରପା ପଞ୍ଚାୟତର ହିର୍ସୁଳି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି । ଏହି ଗ୍ରାମକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଯିବାକୁ ହୁଏ । ତଲରମ୍ଭା ଠାରୁ ହିର୍ସୁଳି ଗାଁକୁ ୩ କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି । ଗର୍ଭବତୀ କିମ୍ବା ଯେକୌଣସି ରୋଗୀଙ୍କ ଚିକିତ୍ସା ପାଇଁ ନେବାକୁ ହେଲେ ଖଟିଆରେ ବୋହିଆଣିବାକୁ ପଡୁଛି । ରାସ୍ତା ନଥିବାରୁ କୌଣସି ଗାଡି ଯାତାୟତର ସୁବିଧା ନାହିଁ । ଗୁହାରି କଲେ କେହି ଶୁଣୁ ନାହାନ୍ତି । ପୁଣି ଭାଗ୍ୟକୁ ଆଦରି ନିକଟସ୍ଥ ନାଳପାଣିକୁ ଆଦରି ନେଇ ଜୀବନ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ହିର୍ସୁଳି ଗ୍ରାମବାସୀ । ବିଜୁଳି ବ୍ୟବସ୍ଥା କହିଲେ ନ ସରେ, ବିଦ୍ୟୁତ ଖୁଣ୍ଟ ଅଛି ଟ୍ରାନ୍ସଫର୍ମର ଅଛି ହେଲେ ଗାଁ ବାଟ ଅଂଧାରମୟ । ବିଦ୍ୟାଳୟ ଅଛି ପ୍ରଥମରୁ ଅଷ୍ଟମ ଯାଏ, ବିଦ୍ୟାଳୟର କାନ୍ଥଫାଟି ଆଁ କରିଛି । କେତେବେଳେ ଅଘଟଣ ଘଟିବ ତାହା କହି ହେବନାହିଁ । ଏଥିପାଇଁ ବିଦ୍ୟାଳୟର ଶିକ୍ଷକ ଦାୟୀ ନା ପ୍ରଶାସନ ଦାୟୀ ରହିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଚାରିଆଡ଼େ ଘଞ୍ଚ ଜଙ୍ଗଲ ମଧ୍ୟରେ ବିଦ୍ୟାଳୟ ରହିଛି, ନା ରହିଛି ବିଦ୍ୟାଳୟ ପାଚେରୀ ନା ଅଛି ପିଇବା ପାଣିର ବ୍ୟବସ୍ଥା, ଝରଣା ପାଣିକୁ ପିଇ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହାଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ମଧ୍ୟ ବେଳେ ବେଳେ ହେଉଛନ୍ତି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି । ବାରମ୍ବାର ଶିକ୍ଷକମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କିମ୍ବା ରାଜନୈତିକ ନେତା ମାନେ ଦୃଷ୍ଟି ଦେଉ ନଥିବା କହିଛନ୍ତି । ସରକାର ଡିମ୍ଡିମ ପିଟୁଛନ୍ତି ଶିକ୍ଷାର ବିକାଶ, ଗାଁର ବିକାଶ କରୁଛୁ, ହେଲେ ଏଠାରେ ସବୁ ଫୁସ୍ । ଦୁର୍ଗମ ଗ୍ରାମ ହିର୍ସୁଳିରେ ୩୫ଟି ଆଦିବାସୀ ପରିବାର ଆଦିମକାଳରୁ ବସବାସ କରି ଜୀବିକା ନିର୍ବାହ କରି ଆସୁଛନ୍ତି । କିନ୍ତୁ ସର୍ବ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ପ୍ରଥମେ ଏହି ଗ୍ରାମରେ ପିଇବା ପାଣି କହିଲେ ଝରଣା ପାଣି ଉପରେ ନିର୍ଭର କରି ଚଳି ଆସୁଛନ୍ତି । ୨୦୦୯ ମସିହାରେ ବ୍ୟାପକ ଝାଡାବାନ୍ତି ହୋଇ କିଛି ଲୋକଙ୍କ ମୃତ୍ୟୁ ହେବା ପରେ ପ୍ରଶାସନ ଚେତିଥିଲା । ଏମିତିକି ସେଠାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ପାଣି ମିଳୁନଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇରେ ଅସୁବିଧା ସୃଷ୍ଟି ହେଉଥିବାରୁ ପିଲାଙ୍କୁ ଖାଦ୍ୟ ବଣ୍ଟନରେ ବ୍ୟାଘାତ ସୃଷ୍ଟି ହେଉଥିବା ଶିକ୍ଷକ ପ୍ରକାଶ କରିଛନ୍ତି । ଏହି ଗାଁକୁ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ଗାଁର ୱାଲିସି କାଡ୍ରାକା, କେଶବ କାଡ୍ରାକା, ମାସକେଇ କାଡ୍ରାକା, ବଳନ୍ତି କାଡ୍ରାକା, ସାଲମା କାଡ୍ରାକା, ଜଗନ୍ନାଥ କାଡ୍ରାକା ଓ ଲକ୍ଷ୍ମୀ କାଡ୍ରାକା ଅଭିଯୋଗ କରିଛନ୍ତି ।
Prev Post