
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିବା ସହ ଗ୍ରାମୀଣ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରୀ ବଢ଼ାଇବା ଏହି ସ୍ୱତନ୍ତ୍ର ଗ୍ରାମସଭାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ କହିଛନ୍ତି । ଗ୍ରାମସଭାରେ ପଞ୍ଚାୟତ ପ୍ରତିନିଧି, ସରକାରୀ କର୍ମଚାରୀ, ଯୁବକ ସଂଘର ସଦସ୍ୟ ଓ ଗ୍ରାମବାସୀ ଯୋଗଦେଇ ଗ୍ରାମର ମୌଳିକ ସମସ୍ୟା, ପଞ୍ଚାୟତ ବିକାଶ ଯୋଜନା, ରାସ୍ତାଘାଟ, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଶିକ୍ଷା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ ଯୋଗଦେଇ ଗ୍ରାମସଭାର ଉଦ୍ଦେଶ୍ୟ ଓ ଗ୍ରାମୀଣ ବିକାଶରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଚମାଖଣ୍ଡି ପଞ୍ଚାୟତ ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତକୁ ଶିଶୁ ଶ୍ରମିକମୁକ୍ତ ପଞ୍ଚାୟତରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଥିବା ଅବସରରେ କୁହାଯାଇଥିଲା । ଏଥିସହ ପ୍ରଶାସନିକ ସଂସ୍କାର, ସ୍ୱଚ୍ଛତା ଓ ଜନସାଧାରଣଙ୍କୁ ସରକାରୀ ସେବାକୁ ଅଧିକ ସହଜ ଓ ସୁଗମ କରିବା ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଗ୍ରାମର ସାମଗ୍ରିକ ବିକାଶ ପାଇଁ ଗ୍ରାମସଭା ଏକ ପ୍ରଭାବଶାଳୀ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମତପ୍ରକାଶ ପାଇଥିଲା ।