jayashree

ଏଡ୍ରେସ ପଚାରିବା ପଡ଼ିଲା ମହଙ୍ଗା : କୁରିଅର ଡେଲିଭରି ଯୁବକଙ୍କ ଉପରେ ଚାକୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଭାନପୁର ପଞ୍ଚାୟତର ଝାଙ୍କରପାଲି ଗ୍ରାମରେ ସୋମବାର ସକାଳେ ଘଟିଥିବା ଏକ ଚାକୁ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଭୟର ବାତାବରଣ ସୃଷ୍ଟି କରିଛି । ଜଣେ କୁରିଅର ଡେଲିଭରି କର୍ମଚାରୀ କେବଳ ଠିକଣା ପଚାରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଚାକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗ୍ରାମର ପିଣ୍ଟୁ ସାହୁ ଖପ୍ରାଖୋଲସ୍ଥିତ ଏକ ଘରୋଇ କୁରିଅର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ସେ ଝାଙ୍କରପାଲି ଗ୍ରାମକୁ ଏକ ପାର୍ସଲ ଡିଲିଭରି କରିବା ପାଇଁ ଯାଇଥିଲେ । ପାର୍ସଲରେ ଉଲ୍ଲେଖ ଥିବା ଠିକଣା ଖୋଜିବା ପାଇଁ ସେ ଗ୍ରାମର ଜଣେ ଯୁବକ ପ୍ରକାଶ ବରିହାଙ୍କୁ ପଚାରିଥିଲେ । ମାତ୍ର ଠିକଣା ପଚାରିବାକୁ କେନ୍ଦ୍ର କରି ହଠାତ୍ ପ୍ରକାଶ ବରିହା ଉତ୍ତେଜିତ ହୋଇ ଏକ ଧାରୁଆ ଚାକୁରେ ପିଣ୍ଟୁଙ୍କ ପଛପଟୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପିଣ୍ଟୁ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ସେଠାରୁ ପଳାଇ ନିଜ ଜୀବନ ବଞ୍ଚାଇଥିଲେ । ପରେ ସେ ଖପ୍ରାଖୋଲ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ପାଇବା ମାତ୍ରେ ଖପ୍ରାଖୋଲ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝାଙ୍କରପାଲି ଗ୍ରାମରେ ପହଞ୍ଚି ଅଭିଯୁକ୍ତ ପ୍ରକାଶ ପୁଟେଲଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ତାଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି । ଘଟଣାରେ ଖପ୍ରାଖୋଲ ପୋଲିସର ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରୁଥିବା ବେଳେ, ଦିନ ଦ୍ୱିପ୍ରହରରେ ଏଭଳି ହିଂସାତ୍ମକ ଘଟଣା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.