pr

ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟିର ଦାବୀପତ୍ର ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସର୍କିଟ ହାଉସ୍‌ ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଡାକିଥିଲେ । ଏହି ସମ୍ମିଳନୀରେ ନାଗରିକ କମିଟିର ଏକ ପ୍ରତିନିଧି ଦଳ ଯୋଗଦାନ କରି ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ୩୦ ଦିନ ମଧ୍ୟରେ ୩୦ ଜଣରୁ ଅଧିକ ହୃଦ୍‌ରୋଗରେ ମୃତ୍ୟୁ ବରଣ କରିଛନ୍ତି । ତାର କେବଳ ଗୋଟିଏ କାରଣ ଭୀମଭୋଇ ମେଡିକାଲ କଲେଜରେ ହୃଦରୋଗ ବିଶେଷଜ୍ଞ ବା ପ୍ରଫେସର ନାହାନ୍ତି । ତେଣୁ ହୃଦରୋଗ ବିଭାଗରେ ପି.ଜି. କୋର୍ସ ଖୋଲି ପ୍ରଫେସର ନିଯୁକ୍ତି କରାଯାଉ ନତୁବା ସେତେଦିନ ପର୍ଯ୍ୟନ୍ତ ଜଣେ ହୃଦରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦୃଢଦାବୀ ଉପସ୍ଥାପନ କରାଯାଇଥିଲା । ପ୍ରଚଣ୍ଡ ଖରାରେ ଲୋକ ଡହକ ବିକଳ ହେଉଥିବା ବେଳେ ସହରରେ ତଥା ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଭୁସୁଡି ପଡିଛି । ତେଣୁ ସହରାଞ୍ଚଳ ପାଇଁ ପି.ଏଚ୍‌.ଡି ଏବଂ ଗ୍ରାମାଞ୍ଚଳ ପାଇଁ ଆର.ଡବ୍ଲ୍ୟୁ.ଏସ୍‌.ଏସ୍‌. କୁ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ଫଳ ହୋଇନଥିବା ମନ୍ତ୍ରୀଙ୍କ ନଜରକୁ ଆସିଥିଲା । ଫଳରେ ଦୁଇଦିନ ଭିତରେ ଏହାର ସମାଧାନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆଦେଶ କରିଥିଲେ । ପୁନଶ୍ଚ ଲୋୟର ସୁକତେଲ ପ୍ରକଳ୍ପରୁ ଚଳିତ ବର୍ଷରୁ କିପରି ଜଳସେଚନ ହୋଇପାରିବ ଏବଂ ସହରକୁ ପାନୀୟ ଜଳ ଯୋଗାଣ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପ୍ରତିନିଧି ଦଳରେ ପ୍ରଫୁଲ୍ଲ ମିଶ୍ର, ଲୋକନାଥ ସିଂହ, ହରେକୃଷ୍ଣ ରାଉତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରି ମାଗଣାରେ ୩୦୦ ୟୁନିଟ ବିଦ୍ୟୁତ ଦେବା ପାଇଁ ଦାବୀ ଜଣାଇଥିଲେ । ମନ୍ତ୍ରୀଙ୍କ ସହିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଭା.ଜ.ପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଭା.ଜ.ପା ନେତା ଗୋପାଲଜୀ ପାଣିଗ୍ରାହୀ ମଞ୍ଚାସୀନ ଥିବା ବେଳେ ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର ତଥା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକର୍ତ୍ତା ପ୍ରଭାକର ମିଶ୍ର, ପଦ୍ମଚରଣ ଆଚାର୍ଯ୍ୟ, ହରେକୃଷ୍ଣ ମେହେର ପ୍ରମୁଖ ଜିଲ୍ଲାରେ ନିଶାମୁକ୍ତ କେନ୍ଦ୍ର ତଥା ବୃଦ୍ଧାଶ୍ରମଟିଏ ସରକାରଙ୍କ ତରଫରୁ ଚଲାଇବା ପାଇଁ ଅନୁରୋଧ ରଖିଥିଲେ । ସମସ୍ତଙ୍କ କଥା ଶୁଣିଲାପରେ ମନ୍ତ୍ରୀ ମହୋଦୟ ବିଧିକାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

nrusinghnath
Leave A Reply

Your email address will not be published.