୭ କୁଚିଆ ମଦ ବେପାରୀ ଗିରଫ, ସିଆରପିସି ୧୧୦ରେ କୋର୍ଟ ଚାଲାଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରୀ ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ଆଣିବା ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହୁଛି । ଏବେ କିନ୍ତୁ ଏମାନଙ୍କ ଆଉ ନିସ୍ତାର ନାହିଁ । ବଲାଙ୍ଗିର ପୋଲିସ ଏଭଳି ଅଭ୍ୟାସଗତ ଅପରାଧିଙ୍କୁ କାବୁ କରିବା ପାଇଁ ସିଆରପିସି ୧୧୦ ଧାରାରେ କୋର୍ଟ ଚାଲାଣ କରିଛି । ଯଦ୍ୱାରା ବେଲ୍‌ ନେଇ ଖସିଯାଇ, ପୁଣି ବେପାର ଚଳାଇବା କଷ୍ଟକର ହୋଇ ପଡିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସଡିପିଓ ତୋଫାନ ବାଗ କହିଛନ୍ତି । ବଲାଙ୍ଗିର ପୋଲିସ ସହରର ବିଭିନ୍ନ ଅଂଚଳରୁ ୭ଜଣ କୁଚିଆ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସିଆରପିସି ୧୧୦ ଧାରା ଯୋଗୁଁ ଏମାନେ ବେଲ୍‌ ଆଣି ଆଇନ୍‌ ଚୁଙ୍ଗଳରୁ ଖସି ଯିବା ମୁସ୍କିଲ ହୋଇ ପଡିବା ସହ ସହରରେ ବେଆଇନ କୁଚିଆ ମଦ ବେପାରୀଙ୍କ ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି । ସେମାନଙ୍କ ନାମ ସୀତାକାନ୍ତ ପଧାନ, ସୁରେଶ ଭୋଇ, ରାଞ୍ଜିତ ପଧାନ, ବିଜୟ ଗାଗରିଆ, କିଶୋର ଠେଲା ଓ ରାଜୁ ବାଗ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ କୋର୍ଟ ଚାଲାଣ ହୋଇଥିବା ଶ୍ରୀକାନ୍ତ ମଟାରି ଉପରେ ମଧ୍ୟ ଏହି ଧାରା ଲଗାଯାଇଛି । ତେବେ ଆଗକୁ ଆହୁରି ନିଶା ବେପାରୀଙ୍କୁ ଧରା ଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି । ତା’ ଛଡା ଅନ୍ୟ ଏକ ମାମଲାରେ ଟାଉନ ପୋଲିସ ଚଢାଉ କରି ବରପାଲିପଡାରୁ ୪୭ ବୋତଲ କଫ ସିରଫ ଜବତ କରଛି । ଅଭିଯୁକ୍ତ ପ୍ରଶାନ୍ତ ଜେନାଙ୍କୁ ଗିରଫ କରିବା ସହ କେସ୍‌ ନଂ ୫୩/୨୩ ରୁଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

ten − five =