
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଏକ କଥିତ ନାବାଳିକା ବିବାହ ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରି ରାଖିଉଡାର ଗ୍ରାମର ଗୀତାଞ୍ଜଳି ନାଗ ବିଭିନ୍ନ ଉଚ୍ଚ ପଦସ୍ଥ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ର ଅନୁସାରେ, ଗତ ଫେବୃଆରୀ ୧୯ ତାରିଖରେ ପାଟଣାଗଡ଼ ଅଞ୍ଚଳର ସୋଲବନ୍ଧ ଗ୍ରାମର ଜଣେ ଝିଅଙ୍କ ବିବାହ ସୁମନ୍ତ ପାଣ୍ଡେଙ୍କ ସହ ସମ୍ପନ୍ନ ହୋଇଥିଲା । ତେବେ ଉକ୍ତ ଯୁବତୀ ନାବାଳିକା ଥିବା ଦାବି କରିଛନ୍ତି ଅଭିଯୋଗକାରିଣୀ । ତାଙ୍କ କହିବା ଅନୁଯାୟୀ, ସରକାର ନାବାଳିକା ବିବାହ ରୋକିବା ପାଇଁ ଗ୍ରାମ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ଓ ସଚେତନତା କାର୍ଯ୍ୟକ୍ରମ ଚଲାଇ ଆସୁଥିବା ବେଳେ ଏପରି ଏକ ବିବାହ କିପରି ସମ୍ପନ୍ନ ହୋଇଥିଲା, ତାହାର ତଦନ୍ତ ଆବଶ୍ୟକ । ଅଭିଯୋଗରେ ଆହୁରି ଉଲ୍ଲେଖ ରହିଛି ଯେ, ବିବାହ ନିମନ୍ତେ ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ବିବାହ ସମ୍ବନ୍ଧୀୟ ସମସ୍ତ ସୂଚନା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା । ଏହା ସହିତ ଉଭୟ ପରିବାରଙ୍କ ଘର ସମ୍ମୁଖରେ ବିବାହ ସମ୍ପର୍କିତ ଚିହ୍ନ ଓ ଲେଖାଥିବା କଥାକୁ ମଧ୍ୟ ପ୍ରମାଣ ଭାବେ ଦର୍ଶାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂପୃକ୍ତ ନାବାଳିକା ପାଟଣାଗଡ଼ ଥାନାରେ ରୁଜୁ ହୋଇଥିବା ଏକ ପୋକ୍ସୋ ମାମଲାର ପୀଡ଼ିତା ଭାବେ ରେକର୍ଡରେ ଥିବା ଦାବି କରାଯାଇଛି । ଯଦି ତଦନ୍ତରେ ସେ ନାବାଳିକା ବୋଲି ପ୍ରମାଣିତ ହୁଅନ୍ତି, ତେବେ ବିବାହ ଆୟୋଜନ ଓ ପରିଚାଳନା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ, ଯଦି ତଦନ୍ତରେ ପ୍ରମାଣିତ ହୁଏ ଯେ, ସଂପୃକ୍ତ ନାବାଳିକା ସାବାଳିକା ଅଟନ୍ତି, ତେବେ ତାଙ୍କୁ ନାବାଳିକା ଦର୍ଶାଇ ରୁଜୁ ହୋଇଥିବା ପୋକ୍ସୋ ମାମଲାର ସତ୍ୟତା ଓ ଆଇନଗତ ଆଧାରକୁ ମଧ୍ୟ ପୁନଃ ବିଚାର କରାଯିବା ଆବଶ୍ୟକ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଯୋଗକାରିଣୀ ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ, ଓଡ଼ିଶା ମହିଳା କମିଶନ, ଡିଜିପି, ବଲାଙ୍ଗିର ଏସପି ଓ ଜିଲ୍ଲା ଶିଶୁ ସୁରକ୍ଷା ସମିତିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଗୀତାଞ୍ଜଳି କ୍ଷୋଭର ସହ କହିଛନ୍ତି ଯେ, ତାଙ୍କ ପୁଅ ସଂପୃକ୍ତ ନାବାଳିକାଙ୍କୁ ନେଇ ଫେରାର୍ ହୋଇଥିବା ଯୋଗୁଁ ତାଙ୍କ ପୁଅକୁ ଜେଲ୍ ହୋଇଛି, ଏବେ ନାବାଳିକାଙ୍କୁ ବାହା କରି ଦିଆଗଲା କେମିତି ? ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିିଁ କାହିିଁକି ? ଯଦି ଉଚିତ ନ୍ୟାୟ ନମିଳେ ତେବେ ମୁଁ ଧାରଣାରେ ବସିବି ବୋଲି କହିଛନ୍ତି ଗୀତାଞ୍ଜଳି ।