
ବଲାଙ୍ଗିର, (କେପିଏନ୍ଏସ୍): ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକ ନିବାରଣ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଶୁ ଶ୍ରମିକ ପ୍ରଥା ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବଲାଙ୍ଗିର ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଶିଶୁ ଶ୍ରମ ରୋକିବା ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା ରଖାଯାଇଥିଲା । ଜିଲ୍ଲାର କୌଣସି ଶିଶୁ ଯେପରି ଶ୍ରମିକ ଭାବେ ନିୟୋଜିତ ନ ହୁଅନ୍ତି, ସେଥିପାଇଁ ସମସ୍ତ ବିଭାଗକୁ ଅଧିକ ସତର୍କ ଓ ସକ୍ରିୟ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାଠପଢ଼ା ଅଧାରୁ ଛାଡ଼ିଥିବା ଶିଶୁମାନଙ୍କୁ ଚିହ୍ନଟ କରି ପୁନର୍ବାର ବିଦ୍ୟାଳୟରେ ନାମଲେଖାଇବା ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ପ୍ରଶାସନ, ଶ୍ରମ ବିଭାଗ ଓ ପୁଲିସକୁ ନେଇ ଗଠିତ ଟାସ୍କ ଫୋର୍ସ ଦ୍ୱାରା ହୋଟେଲ, ଦୋକାନ, ଗ୍ୟାରେଜ ଓ ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳୀଗୁଡ଼ିକରେ ଚଢ଼ାଉ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଶିଶୁ ଶ୍ରମିକ ନିୟୋଜନ କରୁଥିବା ମାଲିକଙ୍କ ବିରୋଧରେ ବାଲ୍ୟଶ୍ରମ ନିଷେଧ ଆଇନ ଅନୁଯାୟୀ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାପାଳ ସାଧାରଣ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ସହଯୋଗ କରି ଏକ ଶିଶୁ ଶ୍ରମିକମୁକ୍ତ ବଲାଙ୍ଗିର ଗଠନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । କୌଣସି ଶିଶୁ ଯଦି ଶ୍ରମିକ ଭାବେ କାର୍ଯ୍ୟ କରିବା ନଜରକୁ ଆସେ ତେବେ ତୁରନ୍ତ ନିକଟସ୍ଥ ଶ୍ରମ କାର୍ଯ୍ୟାଳୟ/ଥାନା/ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ/ ଜିଲ୍ଲାପାଳ କିମ୍ବା ଚାଇଲ୍ଡ ହେଲ୍ପ ଲାଇନ୍ ୧୦୯୮ କିମ୍ବା ନିଶୁଳ୍କ ଶ୍ରମିକ ସହାୟତା ନମ୍ବର ୧୮୦୦-୩୪୫୬୭-୦୩ରେ ଯୋଗାଯୋଗ କରି ଜଣାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ । ସେହିପରି ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜନ କରିବା ଆଇନତଃ ନିଷିଦ୍ଧ । ଏହି ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା, ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ । ପୁନଃରାବୃତ୍ତି ଘଟିଲେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି । ବୈଠକରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୃତ କୁମାର ପଣ୍ଡା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁକାନ୍ତ ସେଠୀ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପଦ୍ମିନୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ରୀନା ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।