jayashree

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

  • ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇବା ଲୋକଙ୍କ ମୌଳିକ ଅଧିକାର – ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୬,ସେକ୍ଟର-୧ ଏବଂ ସେକ୍ଟର-୧୫ ରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପୃଥକ ପୃଥକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିବା ବେକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଂଜୀବନୀ ନାମରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା କେନ୍ଦ୍ର ମଧ୍ୟ ପରିଚାଳିତ ହେଉଥିଲା । ଯାହାଦ୍ୱାରା ଇସ୍ପାତ ସହରାଞ୍ଚଳ ତଥା ଏହା ଆଖପାଖରେ ଥିବା ଶତାଧିକ ବସ୍ତିରେ ରହୁଥିବା ଆବାଳବୃଦ୍ଧବନିତା ମାଗଣା ସ୍ୱାସ୍ଥ୍ୟ ସେବା ପାଉଥିଲେ । ତେବେ ହଠାତ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି । ଫଳରେ ଏହି ଅଞ୍ଚଳରେ ରହୁଥିବା ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ନାପସନ୍ଦ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇବା ଜଣେ ନାଗରିକର ମୌଳିକ ଅଧିକାର ହୋଇଥିବା ବେଳେ ଏହି ସେବା ଲୋକଙ୍କୁ ମାଗଣାରେ ଯୋଗାଇଦେବା ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ସରଜାରୀ, ବେସରକାରୀ ଉଦ୍ୟୋଗ ମାନଙ୍କର କର୍ତ୍ତବ୍ୟ ବୋଲି ବିଧାୟକ ଶ୍ରୀ ତନ୍ତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ଜଣେ ନାଗରିକର ଜୀବନ ସହିତ ଖେଳ ଖେଳିବା ସଦୃଶ । ତେଣୁ ସେକ୍ଟର-୧, ୧୫ ଏବଂ ସେକ୍ଟର-୬ରେ ଥିବା ସଂଜୀବନୀକୁ ପୁନଃ ଚାଲୁକରି ପୂର୍ବଭଳି ସ୍ଥାନୀୟ ଅଞ୍ଚଳର ଆବାଳବୃଦ୍ଧବନିତାଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.