
- ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀନଗରପଡା ମୁଖ୍ୟ ରାସ୍ତାରେ ଘଟିଯାଇଥିବା ହୃଦୟ ବିଦାରକ ଦୁର୍ଘଟଣାରେ ମା’ ଝିଅ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ମୁତାବକ ପୌର ପରିଷଦ ତରଫରୁ ପୋଖରୀ ପୁନରୁଦ୍ଧାର ପାଇଁ ମାଟି ଉଠା କାମ ଯୋଗୁଁ ସହର ଅନେକ ରାସ୍ତାରେ କାଦୁଅ ମାଟିପଡି ରାସ୍ତା ପିଚିପିଚି ହୋଇଯାଇଥିବାରୁ ସ୍କୁଟିରେ ଯାଉଥିବା ମା’ ଝିଅ ଏକ ଟ୍ରକ ସହ ବାଡେଇ ହୋଇ ଏହି ଦୁର୍ଘଟଣା ଘଟିଯାଇଛି । ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୃତକଙ୍କ ଡୁଙ୍ଗୁରିପଡା ସ୍ଥିତ ବାସଭବନକୁ ଯାଇ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ପରିବାର ବର୍ଗଙ୍କ ସହ ଆଲୋଚନା କରି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁନିତା ନାଗ ଓ ତାଙ୍କ ଝିଅ ସୁଷମା ନାଗଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ରାଶି ପାଇଁ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ତା’ ସହ ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ, ଏପରି ଦୁର୍ଘଟଣାରୁ ଅନେକ କିଛି ଶିକ୍ଷା ଗ୍ରହଣ କରିବାର ଅଛି । ପୌର ପରିଷଦର ବେପରୁଆ ମନୋଭାବ ଯୋଗୁଁ ଦୁଇ ଦୁଇଟି ବହୁ ମୁଲ୍ୟ ଜୀବନ ଚାଲି ଯାଇଛି । ତେଣୁ ଏ ଘଟଣାରେ ପୌର ପରିଷଦ ମୁଖ୍ୟତଃ ଦାୟୀ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏଥିରେ ବଲାଙ୍ଗିରର ସମସ୍ତ ଜନସାଧାରଣ ମୃତକଙ୍କ ପରିବାର ସହ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିବା ସହ ମୃତକଙ୍କ ସ୍ୱାମୀ ଓ ପୁଅ ଯେମିତି ସରକାର ଏବଂ ବୀମା କଂପାନୀ ଠାରୁ ଉଚିତ ଓ ପର୍ଯ୍ୟାପ୍ତ ପରିମାଣରେ ସହାୟତା ରାଶି ପାଇପାରିବେ ସେ ଦିଗରେ ସେ ଉଦ୍ୟମ କରିବେ ବୋଲି କହିଥିଲେ । ଶ୍ରୀ ମିଶ୍ରଙ୍କ ସହ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଆରତିପ୍ରୀତି ନାଗ, ଦୀପକ ନାଗ, ଉପେନ ଦିପ, ଜୁଲୁ ପଟ୍ଟନାୟକ, ବଜରଂଗ ବନଛୋର, ବିଦୁ କୁ୍ମ୍ଭାର, ଜ୍ୟୋତି ରଂଜନ ନାଗଙ୍କ ସମେତ ଅନେକ ପଡାବାସୀ ଉପସ୍ଥିତ ଥିଲେ ।