ବେସାହାରା ମା’ ଝିଅଙ୍କୁ ଘର ସହାୟତା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଗତ ସମୟର ଲଗାତାର ବର୍ଷାରେ ବହୁ ଘରଦ୍ୱାର ଭାଙ୍ଗିପଡିଛି । ଏପରିକି ବହୁ ପରିବାର ବେସାହାରା ହୋଇ ପଡିଥିବା ବେଳେ ଲୋଇସିଂହା ନୁଆଁପଡାସ୍ଥିତ ବିଧବା ମାଳତୀ ମାଝୀଙ୍କ ଘର ସଂପୁର୍ଣ୍ଣ ଭୁଷୁଡି ପଡିଛି । ଫଳରେ ବିଧବା ମା’ ସହ ଅବିବାହିତ ଝିଅ ବେସାହାରା ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଲୋଇସିଂହା ନୁଆଁପଡାସ୍ଥିତ ଏକ ମାଟି ଘରେ ବିଧବା ମାଳତୀ ମାଝୀ ସହ ୪୫ ବର୍ଷର ଅବିବାହିତ ଝିଅ ରହୁଥିଲେ । ପୂର୍ବରୁ ମଧ୍ୟ ଘର ଅବସ୍ଥା ଶୋଚନୀୟ ଥିଲା । ଫଳରେ ପଲିଥିନ ଢାଙ୍କି ରହୁଥିଲେ । କିନ୍ତୁ ଗତ ଲାଗାତାର ବର୍ଷା ଯୋଗୁଁ ଉକ୍ତ ଘରଟି ସଂପୁର୍ଣ୍ଣ ରୂପେ ଭୁଷୁଡି ପଡିଛି । ଫଳରେ ମା’ଝିଅ ବେସହାରାର ହୋଇପଡିଛନ୍ତି । ଏନେଇ ସ୍ଥାନୀୟ ଲୋଇସିଂହା ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଛି । ଲୋଇସିଂହା ସମିତି ସଭ୍ୟ ନନ୍ଦକିଶୋର ଭୋଇଙ୍କ ପ୍ରଚେଷ୍ଟାରେ ଉକ୍ତ ମା’ଝିଅଙ୍କୁ କିଛି ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ସେତେବେଳେ । ତେବେ ମୁଣ୍ଡ ଗୁଂଜିବାକୁ ଘରର ଅବସ୍ଥା ଠିକ ନାହିଁ । ତେଣୁ ଯଥାଶୀଘ୍ର ସରକାରୀ ସ୍ତରରେ ଘର ସହାୟତା ଯୋଗାଇ ଦେବାକୁ ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.