ଆସନ୍ତା ୨୨ରୁ ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କିତ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ, ଓଡ଼ିଆ ଭାଷା ଓ ଓଡ଼ିଶା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତା ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖ ରବିବାର ଦିନ ଭଞ୍ଜ ଭବନ ପରିସରରେ ଅନୁଷ୍ଠିତ ହେବ । ୨ ଟି ବିଭାଗ ୪ର୍ଥ ଶ୍ରେଣୀରୁ ୭ମ ଶ୍ରେଣୀ ‘କ’ ବିଭାଗ ଓ ୮ମ ଶ୍ରେଣୀରୁ ୧୦ମ ଶ୍ରେଣୀ ‘ଖ’ ବିଭାଗ କରାଯାଇଛି । ‘କ’ ବିଭାଗ ପାଇଁ ଦରଦୀ ବନ୍ଧୁ ଗୋପବନ୍ଧୁ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଉକ୍ତ ଦିନ ସକାଳ ୯ ଟା ରୁ ୯ ଟା ୪୫ ପର୍ଯ୍ୟନ୍ତ, ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା ସକାଳ ୧୦ ଠାରୁ ୧୦ ଟା ୩୦ ପର୍ଯ୍ୟନ୍ତ, ସେହିପରି ମହାନାୟକ ଗୋପବନ୍ଧୁ ଶୀର୍ଷକ ବକୃତା ପ୍ରତିଯୋଗିତା ସନ୍ଧ୍ୟା ୫ ଟା ୩୦ ରୁ ୬ ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ‘ଖ’ ବିଭାଗ ପାଇଁ ଗୋପବନ୍ଧୁ ଦାସଙ୍କ ସାହିତ୍ୟିକ ଅବଦାନ ( କବିତା, ଗଳ୍ପ, ଉପନ୍ୟାସ ଓ ନିବନ୍ଧ) ସମ୍ପର୍କରେ ପ୍ରବନ୍ଧ ପ୍ରତିଯୋଗିତା ସକାଳ ୯ ଟା ରୁ ୯ ଟା ୪୫, ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା ସକାଳ ୧୦ ଟା ରୁ ୧୦ ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ୭ମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଦିନ ୧୧ ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ‘ଖ’ ବିଭାଗ ପାଇଁ ଗୋପବନ୍ଧୁ ଦାସଙ୍କ ରାଜନୀତିକ ଅବଦାନ ସମ୍ପର୍କରେ ବକୃତା ପ୍ରତିଯୋଗିତା ସନ୍ଧ୍ୟା ୫ ଟା ୩୦ ରୁ ୬ ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ପୁର୍ଣ୍ଣ ପ୍ରତିଯୋଗିତା ନିଃଶୁଳ୍କ ଅଟେ । ଏହି ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଅକ୍ଟୋବର ମାସ ୨୭ ତାରିଖ ରବିବାର ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେବାପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.