
- “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୋକିମ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସ୍ଥିତ ଜି.ଆର୍ ପ୍ୟାଲେସ୍ ଠାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ବିଶାଳ ଜିଲ୍ଲାସ୍ତରୀୟ ମହା ଗଣସମାବେଶ ଆୟୋଜିତ ହୋଇଯାଇଛି । ଏହି ସମାବେଶରେ ଦଳର ସଭାପତି ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଇ ରାଜ୍ୟର ସାମଗ୍ରିକ ଉନ୍ନତି ପାଇଁ ନୂଆ ଦିଗ ଦେଖାଇଥିଲେ । ସଭାକୁ ସମ୍ବୋଧନ କରି ମୋକିମ କହିଥିଲେ ଯେ, ଯୁବଶକ୍ତିର ନେତୃତ୍ୱରେ କ୍ରାନ୍ତି, ନାରୀଶକ୍ତିର ପ୍ରଗତି, କୃଷକଙ୍କ ଉନ୍ନତି ଓ ନିଷ୍ପେସିତ ଲୋକଙ୍କ ସମୃଦ୍ଧି ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ । ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ରାଜ୍ୟରେ ନୂତନ ପରିବର୍ତ୍ତନ ଆଣିବା ପାଇଁ ଦଳ ପ୍ରତିବଦ୍ଧ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଓଡ଼ିଶା ଜନତା ପାର୍ଟି ସଂଯୋଜକ ମଧୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ଏକତାବଦ୍ଧ ହୋଇ ଜନସାଧାରଣଙ୍କ ସମସ୍ୟା ପାଇଁ ଲଢ଼ିବାକୁ ଆହ୍ୱାନ କରିଥିଲେ । ତୁଳସୀ ରାମ ଜଗତ ମଞ୍ଚ ପରିଚାଳନା କରିଥିଲେ । ବଲାଙ୍ଗିର ଜିଲ୍ଲା ସଂଯୋଜକ ରୂପେଶ ବେହେରା, ଗୁପ୍ତେଶ୍ୱର ନିଆଲ, ଅରୁଣ ତାଣ୍ଡିଙ୍କ ସହ ହଜାର ହଜାର ସଂଖ୍ୟାରେ ଓଜେସି ପାର୍ଟି କର୍ମୀ, ଯୁବକ ଓ ମହିଳାମାନେ ସମାବେଶରେ ଉପସ୍ଥିତ ଥିଲେ । ସମାବେଶ ସ୍ଥଳରେ ଦଳୀୟ ସ୍ଲୋଗାନ ଓ ଉତ୍ସାହପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା ।