
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠରେ ୨୦୧୧ ମ୍ୟାଟ୍ରିକ୍ ବ୍ୟାଚ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁରୁଜୀ ଗୁରୁମାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ସମାହିତ ହୋଇଯାଇଛି । “ସ୍ମୃତିମୟ “ଗୁରୁଜନ ସମ୍ମାନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ” ଭବ୍ୟ ସମାରୋହ ଭାବେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । ପରେ ସ୍ୱର୍ଗତ ପୂର୍ବତନ ପ୍ରଧାନ ଶିକ୍ଷକ ବିପ୍ର ଚରଣ ମହାଙ୍କୁଡ ଓ ପିଅନ ଏସ୍. ମୋଚିରାମ ରେଡ୍ଡୀଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ, ପୂର୍ବତନ ପ୍ରଧାନଶିକ୍ଷକ ଉମା ଚରଣ ରେଡ୍ଡୀ, ଅବସରପ୍ରାପ୍ତ ଶିକ୍ଷକ ଏସ. ଲକ୍ଷ୍ମୀ ଚରଣ ରେଡ୍ଡୀ, କାଳୀ ଚରଣ ଦାଶ, ଶିକ୍ଷକ ହରି କୃଷ୍ଣ ମହାପାତ୍ର, ସଦାଶିବ ମହାପାତ୍ର, ଅବସରପ୍ରାପ୍ତ କିରାଣୀ ଏମ୍ ସୂର୍ଯ୍ୟ ସୁବୁଦ୍ଧି, ପିଅନ ଅର୍ଜୁନ ବେହେରା, ଏସ. ମୁକୁନ୍ଦ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ମାନପତ୍ର, ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଏହି ଅବସରରେ ସ୍କୁଲର ମେଧାବୀ ଛାତ୍ର ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ୫୪୯ ମାର୍କ ରଖି ବ୍ଲକ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସ୍କୁଲ ପାଇଁ ଗର୍ବ ଆଣିଛନ୍ତି । କାର୍ଯ୍ୟକ୍ରମରେ ଗୁରୁଜନମାନେ ତାଙ୍କର ଅନୁଭବ ଏବଂ ଆଶୀର୍ବାଦପୂର୍ଣ୍ଣ ଭାବରେ ଶ୍ରଦ୍ଧା ଜ୍ଞାପନ କରିଥିଲେ । ସହପାଠୀ ମାନଙ୍କ ସହ ପିଲାଦିନର ପୁରୁଣା ସ୍ମୃତିକୁ ସାଉଁଟି ଥିଲେ । ସାଙ୍ଗସାଥୀ ମାନଙ୍କ ମେଳରେ ସ୍ନେ଼ହ, ଶ୍ରଦ୍ଧା ବାଣ୍ଟି ଭାବପୂର୍ଣ୍ଣ ସମାରୋହରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଆନନ୍ଦମୟ ଭାବେ ପାଳନ କରାଯାଇଥିଲା । ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା ।