କୁତୁର୍ଲା ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ବୈଠକ : ନରେଗା ଯୋଜନା ଭଳି ଗାଈ ଚାଷ ମଧ୍ୟ ଦାରିଦ୍ର ଦୂରୀକରଣ କରି ପାରିବ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦେଓଗାଁ ବ୍ଳକ କୁତୁର୍ଲା ସ୍ଥିତ ଶିବ ଶଙ୍କର ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ବୈଠକ ସ୍ଥାନୀୟ ସୋନଗଡ଼ ନଦୀକୂଳରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଶିବ ଶଙ୍କର ଦୁଗ୍ଧ ଉତ୍ପଦକ ସମବାୟ ସମିତିର ସଂପାଦକ ସଞ୍ଜିବ ପଧାନ ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପୂର୍ବ ବ୍ଳକ ଅଧ୍ୟକ୍ଷ ତଥା ବିଡିସିସି ପୂର୍ବ ସଭାପତି ଲକ୍ଷ୍ମଣ ମେହେର, କୁତୁର୍ଲା ସରପଞ୍ଚ ବଡ଼ ପଧାନ, ଦେଓଗାଁ ବିଭିଓ ଚନ୍ଦ୍ରମଣୀ ସାହୁ, କୁତୁର୍ଲା ଓ ବଡ଼ବନ୍ଧ ଏଲଆଇ ନରେନ୍ଦ୍ର ବେହେରା ଓ ରୋସନ ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ଗାଈ ଗାଷୀଙ୍କୁ ଆଗାମୀ ଦିନରେ ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଥିଲେ ।

ଏହି ବାର୍ଷିକ ସମାବେଶରେ ଶ୍ରୀ ମେହେର ଚାଷୀଙ୍କୁ ପରାମର୍ଶ ଦେବା ଆଳରେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ନରେଗା ଯୋଜନା ପରି ଗାଈ ଚାଷ କରି କେବଳ ଦେଓଗାଁ ବ୍ଳକରେ କୁତୁର୍ଲା ନୁହେଁ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଗାଁରେ ମଧ୍ୟ ପୂର୍ବରୁ ଥିବା ଲୋକଙ୍କ ଆର୍ଥିକ ଅବସ୍ଥା ଆଉ ନାହିଁ। ପ୍ରକୃତ ଗାଈ ଚାଷୀଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ସେମାନେ ହିଁ ପାଇବା ଉଚିତ । ଅନେକ ଗାଈ ନ ରଖି ସହାୟତା ପାଇଁ ଦୌଡୁଛନ୍ତି । ସେଥିପ୍ରତି ଚାଷୀମାନେ ସଜାଗ ହେବା ଉଚିତ ବୋଲି କହିଥିବା ବେଳେ ଦେଓଗାଁ ବ୍ଳକର ୩୬୫ ଜଣ ଗାଈ ଗାଷୀ ଗୁହାଲ ପାଇବା ପାଇଁ ହକଦାର, ତେଣୁ ପର୍ୟ୍ୟାୟ କ୍ରମେ ଗୁହାଲ ଯୋଗାଇ ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମେହେର କହିଥିଲେ ।

ଏହି କାର୍ୟ୍ୟକ୍ରମରେ କୁତୁର୍ଲା ଏମପିସିଏସ ଅଧୀନସ୍ଥ କୁତୁର୍ଲା, ମୁରସିଂହ, ସାରସବାହାଲ, ବହଲି ଗାଁର ୭୮ ଜଣ ପଞ୍ଜିକୃତ ଚାଷୀ ଯୋଗଦେଇଥିଲେ । ନିୟମିତ ଭାବେ କାରବାର କରୁଥିବା ୪୫ ଜଣ ଚାଷୀଙ୍କ ମଧ୍ୟରୁ ଯୋଗୀନ୍ଦ୍ର ନାଏକ ଓ କୃତିବାସ ପୋଢ଼ଙ୍କୁ ସର୍ବୋତ୍ତମ ଚାଷୀ ଭାବେ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡୋଳାମଣୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.