
ମୁରିବାହାଲ, (ଦୁର୍ଗା ନନ୍ଦ ମହାକୁର) : ବଲାଙ୍ଗିର ଜିଲା ପାଇଁ ଗୌରବ ଆଣିଛନ୍ତି ମୁରିବାହାଲ ବ୍ଲକର ଜଣେ କୁନି ଝିଅ । ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମର ଝିଅ ଚୈତନ୍ୟା କ୍ରିଷ୍ଣା ଦୀପ ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ଜୁନିଅର ମିସ୍ ଇଣ୍ଡିଆ’ର ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛନ୍ତି । ସୂଚନା ଅନୁଯାୟୀ ଦେବଙ୍ଗ ଗ୍ରାମର ଡା. ଗୋପାଳକୃଷ୍ଣ ଦୀପ ଓ ତାଙ୍କ ପତ୍ନୀ ଜାନକୀ ଦୀପଙ୍କ ସୁକନ୍ୟା ଚୈତନ୍ୟା କ୍ରିଷ୍ଣା ଏହି ସଫଳତା ହାସଲ କରିଛନ୍ତି । ଡା. ଦୀପ ବର୍ତ୍ତମାନ ମୁରିବାହାଲ ବ୍ଲକର ଓଏଲ୍ଏମ୍ ବିପିଏମ୍ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ନଭେମ୍ବର ୧ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ପ୍ରଥମ ରାଉଣ୍ଡରେ ଚୈତନ୍ୟା କୃତକାର୍ଯ୍ୟ ହୋଇ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିଲେ । ଆସନ୍ତା ଜାନୁଆରୀ ୭, ୮ ଓ ୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ସେ ଅଂଶଗ୍ରହଣ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବେ । ଏହି ଖବର ପ୍ରଚାରିତ ହେବା ପରେ ମୁରିବାହାଲ ବ୍ଲକ ଅଞ୍ଚଳ ସମେତ ବଲାଙ୍ଗିର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ଚୈତନ୍ୟାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟୁଛି ।